ମୋଟା ଅଙ୍କର ଦରମା ପାଉଥିଲେ ବି ନିଅଣ୍ଟ | ସରକାରୀ ବାବୁମାନେ ଲାଞ୍ଚ ନେବା ଛାଡୁନାହାନ୍ତି । ଯେତେ ଚଢ଼ାଉ ହେଲେ ମଧ୍ୟ ଡର ନାହିଁ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପ୍ରାୟ ଗିରଫ ହେଉଛନ୍ତି ସରକାରୀ ବାବୁମାନେ | ସେମାନଙ୍କର କୋଟି କୋଟି ଟଙ୍କାର ସମ୍ପତି ଜବତ କରୁଛି ଭିଜିଲାନ୍ସ | ଦୁର୍ନୀତିଖୋର ଅଧିକାରୀଙ୍କୁ ଚାକିରିରୁ ବିଦା କରୁଛନ୍ତି ସରକାର | ହେଲେ ସରକାରୀ ବାବୁମାନଙ୍କ ଚେତା ପଶୁନି | କାରଣ ଏଠି ତଳୁ ଉପର ସ୍ତର ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ପକେଟ ଗରମ କରିବାରେ ବ୍ୟସ୍ତ। ତେବେ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆଜି ଫସିଲେ ପୁଣି ଜଣେ ସରକାରୀ ବାବୁ | ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ | ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲ ଅଫିସର ସେକ୍ସନ ଅଫିସର କିଶୋର ଖରସେଲଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ ଟିମ ।
ବିନ୍ଧାପାଲି ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ବାଲି ବୋଝେଇ ଟ୍ରାକ୍ଟରକୁ ଆଗଲପୁର ତହସିଲ ଟିମ ଜବତ କରିଥିଲା । ମାମଲାକୁ ରଫାଦଫା କରିବା ସହିତ ଜବତ ଟ୍ରାକ୍ଟରକୁ ଛଡେଇ ଦେବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କିଶୋର । ଏ ସଂପର୍କରେ କୃଷ୍ଣଚନ୍ଦ୍ର ବଲାଙ୍ଗିର ଭିଜିଲାନ୍ସ ବିଭାଗକୁ ଖଵର ଦେଇଥିଲେ । ସମ୍ୱଲପୁର ଭିଜିଲାନ୍ସ ଏସ.ପିଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗିର ଭିଜିଲାନ୍ସ ଟିମ କୃଷ୍ଣଚନ୍ଦ୍ରଙ୍କୁ କେମିକାଲ ଲଗା ଟଙ୍କା ଦେଇ ପଠାଇଥିଲେ । ସେକ୍ସନ ଅଫିସର କିଶୋର ଖରସେଲ ନିଜର ଅଫିସ ରୁମରେ ଲାଞ୍ଚ ଟଙ୍କା ନେବା ବେଳେ ପୂର୍ବରୁ ଛକିକି ଥିବା ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲା । ଏହାସହିତ ହାତୀଶାଲପଡାଠାରେ ଥିବା କିଶୋର ଖରସେଲଙ୍କ ସରକାରୀ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ ଟିମ ।