ଆଜିଠୁ ପୁଣି ଖୋଲିଲା ସ୍କୁଲ । କୋଳାହଳରେ କମ୍ପିଲା କ୍ୟାମ୍ପସ୍ । କୋଭିଡର ତୃତୀୟ ଲହର ବା ଓମିକ୍ରମ ସଂକ୍ରଣ କମିବା ପରେ ଅଷ୍ଟମ ଶ୍ରେଣୀରୁ ଉର୍ଦ୍ଧ୍ବ ସମସ୍ତ ଶ୍ରେଣୀରେ ଆଜିଠୁ ଆରମ୍ଭ ହୋଇଛି ପାଠପଢା । ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ କ୍ଲାସ୍ । କୋଭିଡ କଟକଣା ମଧ୍ୟରେ ସମଗ୍ର ରାଜ୍ୟରେ ବିଭିନ୍ନ ସ୍ଥାନରେ ଖୋଲିଛି କଲେଜ ଓ ବିଶ୍ଵବିଦ୍ୟାଳୟ। ଜଗତସିଂହପୁର ଜିଲ୍ଲାରେ ବିଦ୍ୟାଳୟ ଖୋଲିବା ପୂର୍ବରୁ ଶ୍ରେଣୀ ଗୃହକୁକୁ ସଫା କରାଯିବା ସହ ସାନିଟାଇଜ୍ କରାଯାଇଛି। ସାମାଜିକ ଦୂରତା ରଖି ବସିବା ପାଇଁ ଛାତ୍ରଛାତ୍ରୀଙ୍କ ଡେସ୍କ ବେଞ୍ଚ ପ୍ରସ୍ତୁତ କରାଯାଇଛି। ପ୍ରାୟ ୧ ମାସ ବ୍ୟବଧାନ ପରେ ବିଦ୍ୟାଳୟ ଖୋଲିବା ପରେ ଛାତ୍ର ଓ ଅଭିଭାବକ ମନରେ ବେଶ୍ ଉତ୍କଣ୍ଠା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ସେହିଭଳି କେନ୍ଦ୍ରାପଡା ଜିଲ୍ଲାରେ କରୋନା ଗାଇଡ୍ ଲାଇନ ପାଳନ କରାଯାଇ ସବୁ ମାଧ୍ୟମିକ ବିଦ୍ୟାଳୟ ଖୋଲିଛି । ବିଦ୍ୟାଳୟକୁ ସାନିଟାଇଜ କରାଯିବା ସହିତ ପିଲାମାନେ ସ୍କୁଲକୁ ପ୍ରବେଶ ସମୟରେ ସେମାନଙ୍କ ହାତକୁ ସାନିଟାଇଜ କରାଯାଇଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷାକରି ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀମାନଙ୍କୁ ପାଠପଢାଯିବା ଆରମ୍ଭ ହୋଇଛି । ଅନଲାଇନରେ ପାଠ ପଢି ପାରୁନଥିବା ଛାତ୍ରଛାତ୍ରୀମାନେ ଏବେ ଶ୍ରେଣୀଗୃହରେ ଶିକ୍ଷା ଦାନର ସୁଯୋଗ ପାଇଛନ୍ତି । ସାଙ୍ଗସାଥି ଓ ଶିକ୍ଷକ ମାନଙ୍କ ସହିତ ପୁଣି ମିଳନ ହୋଇପାରିଥିବାରୁ ପିଲାମାନଙ୍କ ଆନନ୍ଦର ସୀମାନାହିଁ । ଶିକ୍ଷକମାନେ ମଧ୍ୟ ଶ୍ରେଣୀ ଗୃହରେ ଶିକ୍ଷାଦାନ କରି ଅଧିକ ଖୁସି ବ୍ୟକ୍ତ କରିଛନ୍ତି । ସୂଚନା ଥାଉକି, କୋଭିଡର ୩ୟ ଲହରକୁ ଦେଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାନୁଆରୀ ୧୦ ରୁ ସ୍କୁଲ ଓ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡିକୁ ବନ୍ଦ୍ କରି ଦିଆଯାଇଥିଲା।