ହିଜାବ ମାମଲାକୁ ନେଇ ଆବେଦନକାରୀଙ୍କୁ ପୁଣି ଲାଗିଛି ଝଟକା | କର୍ଣ୍ଣାଟକ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ଦାବି କରୁଥିବା ଛାତ୍ରୀ ହୋଇଛନ୍ତି ନିରାଶ । ହିଜାବ ମାମଲାରେ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ | ଏଥିସହ ଆବେଦନ କରିଥିବା ଓକିଲଙ୍କୁ ମଧ୍ୟ କୋର୍ଟ ପକ୍ଷରୁ କରାଯାଇଛି ତାଗିଦ। ପିଲାଙ୍କ ପରୀକ୍ଷା ଆଗକୁ ରହିଥିବାରୁ ତୁରନ୍ତ ଏହି ମାମଲାର ଶୁଣାଣି ପାଇଁ ଛାତ୍ରୀମାନେ କୋର୍ଟରେ ଆବେଦନ କରିଥିଲେ | ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଏହି ମାମଲାର ପରୀକ୍ଷା ସହିତ କୌଣସି ସମ୍ପର୍କ ନାହିଁ | ଏହି ଘଟଣାକୁ ନେଇ କୌଣସି ଭୁଲ ତଥ୍ୟା ପ୍ରଚାର ନକରିବାକୁ ଛାତ୍ରୀଙ୍କ ପକ୍ଷରୁ ଆବେଦନ କରିଥିବା ଓକିଲ ଦେବଦତ୍ତ କାମତଙ୍କୁ ତାଗିଦ କରିଛନ୍ତି କୋର୍ଟ । ଆଗକୁ ପିଲାଙ୍କ ପରୀକ୍ଷା ଥିବାରୁ ଯେପରି ପାଠପଢାରେ କିଛି ବ୍ୟାଘାତ ନଘଟେ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ | ତେଣୁ ଏହି ପ୍ରସଙ୍ଗକୁ ନେଇ କୌଣସି ଗୁଜବ ସୃଷ୍ଟି ନକରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ବରଂ ଅପେକ୍ଷା କରିବାକୁ କୋର୍ଟ କହିଛନ୍ତି ।
ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାର ଶୁଣାଣି କରିସାରିଛନ୍ତି । କର୍ଣ୍ଣାଟକ ହାଇକୋର୍ଟ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି ହିଜାବ ପିନ୍ଧିବା ମୁସଲମାନ ଧାର୍ମିକ ପ୍ରଥାର ଅଂଶବିଶେଷ ନୁହେଁ ବୋଲି ରାୟ ଦେଇଥିଲେ। ସ୍କୁଲରେ ୟୁନିଫର୍ମ ପିନ୍ଧିବାକୁ ସମସ୍ତ ଛାତ୍ରଛାତ୍ରୀ ବାଧ୍ୟ ବୋଲି ମଧ୍ୟ ରାୟରେ ଉଲ୍ଲେଖ କରିଥିଲେ କୋର୍ଟ | କର୍ଣ୍ଣାଟକ ହଇକୋର୍ଟଙ୍କ ଅର୍ଡ଼ରକୁ ଚାଲେଞ୍ଜ କରି ଗୁରୁବାର ସୁପ୍ରିମକୋର୍ଟରେ ଏକ ତାଜା ଆବେଦନ କରାଯାଇଛି |