ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୁଚିଣ୍ଡାରେ ସମ୍ବଲପୁର ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୭ ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା ପାଇବେ । କୁଚିଣ୍ଡାର ସରସ୍ବତୀ ଭୋଇ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ମୁଖ୍ୟମନ୍ତ୍ରୀଙ୍କଠାରୁ କାର୍ଡ଼ ଗ୍ରହଣ କରିଥିଲେ । ସମ୍ବଲପୁର ସହିତ ରାଜ୍ୟର ୮ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସଂସ୍କୃତି, ରାଜନୀତି, ଶିକ୍ଷା, ଇତିହାସ, ଅର୍ଥନୀତି ସବୁକ୍ଷେତ୍ରରେ ସମ୍ବଲପୁରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସମ୍ବଲପୁରୀ ଶାଢୀ, ସମ୍ବଲପୁରୀ ଗୀତ ଓଡିଶାର ମହାନ ସଂସ୍କୃତିର ପରିଚୟ । ସ୍ମାର୍ଟ ହେଲ୍ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ। ଏହି ଅବସରରେ ସଡକ ଦୁର୍ଘଟଣାରେ ବହୁ ଲୋକଙ୍କର ମୃତ୍ୟୁ ହେଉଥିବା ସଂପର୍କରେ ଚିନ୍ତାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିଲେ, ଅନେକ ମୂଲ୍ୟବନ ଜୀବନ ବଞ୍ଚାଇ ହେବ । ଆହତ ଲୋକଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି ବୋଲି ସେ ଘୋଷଣା କରିଥିଲେ । ଏହି ପାଣ୍ଠି ଜରିଆରେ ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ସମସ୍ତ ଚିକିତ୍ସା ଖର୍ଚ୍ଚ ଏହି ପାଣ୍ଠିରୁ ବହନ କରାଯିବ। ଏଥିସହ ମୁଖ୍ୟମନ୍ତ୍ରୀ ଆଜି ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଆରମ୍ଭ କରିଥିଲେ ଏବଂ ଏଥିରୁ ୩୫୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ହୋଇଥିଲା। ସମ୍ବଲପୁରରେ ପିଇବା ପାଣି ପାଇଁ ୧୦୦୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ୨୦୨୨ରେ ସମ୍ବଲପୁର ଜିଲ୍ଲାର ପ୍ରତି ଘରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ସରକାରୀ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ପ୍ରମୁଖ ଯୋଗ ଦେଇଥିଲେ ।