ପୁରୀ(ଏନଏନଏସ୍): ପଞ୍ଚଭୂତରେ ଲୀନ ହେଲା ସହିଦ୍ ଯବାନ ଦେବାଶିଷଙ୍କ ପାର୍ଥିବ ଶରୀର । ଗାଁରେ ପାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହାପରେ ଗାଁ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଖଣ୍ଡାୟତ ସାହିରେ ଦେଖାଦେଇଛି ଶୋକାକୂଳ ପରିବେଶ ।
ବୀର ପୁଅର ଶେଷ ଦର୍ଶନ ପାଇଁ ସମଗ୍ର ଅଂଚଳ ଲୋକାରଣ୍ୟ ହୋଇପଡିଛି । ଭୁବନେଶ୍ୱରରୁ ସତ୍ୟବାଦୀ ପର୍ୟ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଦେବାଶିଷଙ୍କୁ ଶେଷ ଦର୍ଶନ କରିବା ପାଇଁ ଆସିଥିଲେ । ସାକ୍ଷୀଗୋପାଳ ନିକଟରେ ପ୍ରାୟ ୫ହଜାରରୁ ଅଧିକ ଲୋକ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା । ଜନ୍ମମାଟିରେ ସମସ୍ତେ ଲଢୁଆ ବୀର ପୁଅକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟପଟେ ଦେବାଶିଷ ଅମର ରହେ ନାରାରେ କମ୍ପି ଉଠିଥିଲା ସମଗ୍ର ଅଂଚଳ ।