ଆଜି ଯୁଦ୍ଧର ଦ୍ୱିତୀୟ ଦିନ | ଆଜି ସକାଳେ ୟୁକ୍ରେନ ରାଜଧାନୀ କିବ ଉପରେ ଆକ୍ରମଣ କରିଥିଲା ରୁଷ | ତେବେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆସିଛି ଏକ ବଡ ଖବର | ଋଷ ଓ ୟୁକ୍ରେନ ପରସ୍ପର ମଧ୍ୟରେ ଆଲୋଚନା ପାଇଁ ହୋଇଛନ୍ତି ପ୍ରସ୍ତୁତ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି । ତେବେ ୟୁକ୍ରେନ ଆତ୍ମସମର୍ପଣ କଲେ ହିଁ ଆଲୋଚନା ହୋଇପାରିବ ବୋଲି ଋଷର ବୈଦେଶିକ ମନ୍ତ୍ରୀ ସରଗେଇ ଲାଭ୍ରୋଭ ସ୍ପଷ୍ଟ କରିସାରିଛନ୍ତି। ଏଥିସହିତ ସେ କହିଛନ୍ତି ଋଷ ୟୁକ୍ରେନକୁ “ଅତ୍ୟାଚାରରୁ ମୁକ୍ତ କରିବାକୁ” ଚାହୁଁଛି | ଯାହା ଦ୍ୱାରା ୟୁକ୍ରେନବାସୀ ସେମାନଙ୍କର ଭବିଷ୍ୟତ ସ୍ଥିର କରିପାରିବେ।
ମସ୍କୋରେ ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ଋଷ ଚୁପ୍ ରହିପାରିବ ନାହିଁ। ଏହି ସମୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି। ୟୁକ୍ରେନକୁ ନେଇ ହୋଇଥିବା ରାଜନୈତିକ ସମସ୍ୟାର ସମାଧାନ ପାଇଁ ଚୀନ୍ ଚେଷ୍ଟା କରିବ। ଏଥିସହ ପୁଟିନ ୟୁକ୍ରେନ ସହ ଆଲୋଚନା କରିବାକୁ ରାଜି ହୋଇଥିବା ସୂଚନା ଆସୁଛି।