ଗତ ଏକ ମାସ ଧରି ଚାଲିଛି ରୁଷ – ୟୁକ୍ରେନ ଯୁଦ୍ଧ | ଥମିବାର ନାଁ ନେଉନି | ଶତ ଚେଷ୍ଟା ପରେ ବି ୟୁକ୍ରେନକୁ ଦାଖଲ କରିପାରୁନି ରୁଷ | ତେବେ ଉଭୟ ଦେଶ ନିଜର ଦାବି କରୁଛନ୍ତି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଗାଳି ଶୁଣି ପ୍ରତିରକ୍ଷା ମନ୍ତ୍ରୀଙ୍କ ହୃଦଘାତ ହୋଇଥିବା କୁହାଯାଉଛି । ଯୁଦ୍ଧ ମଧ୍ୟରେ ୟୁକ୍ରେନ ମନ୍ତ୍ରୀ କରିଛନ୍ତି ଏହି ବଡ ଦାବି । ୟୁକ୍ରେନରେ ନିଜ ସୈନ୍ୟଙ୍କ ବିଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କୁ ଦାୟୀ କରିଥିଲେ ପୁଟିନ୍ । ଏହି ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ । ଏହାପରେ ହଠାତ୍ ସର୍ଗେଇଙ୍କର ହାର୍ଟଆଟାକ୍ ହୋଇଥିବା କୁହାଯାଉଛି ।
ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇଙ୍କୁ ରୁଷ -ୟୁକ୍ରେନ ଯୁଦ୍ଧର ଦ୍ୱିତୀୟ ମାଷ୍ଟରମାଇଣ୍ଡ ବୋଲି କୁହାଯାଏ | କିନ୍ତୁ ମାର୍ଚ୍ଚ ୧୧ ତାରିଖରୁ ତାଙ୍କୁ ଆଉ ଦେଖିବାକୁ ମିଳୁନି | ୟୁକ୍ରେନ୍ ଆକ୍ରମଣ ସମ୍ପୂର୍ଣ୍ଣ ବିଫଳ ହେବା ଯୋଗୁଁ ପୁଟିନ୍ ଯେଭଳି ତାଙ୍କୁ ଅପବାଦ ଦେଲେ ସେଥିରେ ଶୋଇଗୁଙ୍କ ହୃଦ୍ଘାତ ହୋଇଛି ବୋଲି ୟୁକ୍ରେନ ମନ୍ତ୍ରୀ ଦାବି କରିଛନ୍ତି | ତେବେ ରୁଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କୁ ହଠାତ୍ ନିଖୋଜ ହେବା ଘଟଣାକୁ ବିଭିନ୍ନ ଗୁଜବ ଶୁଣିବାକୁ ମିଳୁଛି | କୁହାଯାଏ ଯେ, ଯୁଦ୍ଧର ମାସେ ପରେ ବି ରୁଷ ସେନା ୟୁକ୍ରେନ ରାଜଧାନୀ କିଭ ଏବଂ ଖାର୍କିଭ୍ ସହରକୁ ଦାଖଲ କରିପାରିନଥିବାରୁ ପୁଟିନଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇଙ୍କୁ ଦଣ୍ଡିତ କରାଯାଇଛି ।