ଭୟଙ୍କର ହେଉଛି ରୁଷ – ୟୁକ୍ରେନ ଯୁଦ୍ଧ | ଦ୍ୱାଦଶ ଦିନରେ ପହଂଚିଛି ଯୁଦ୍ଧ | ୟୁକ୍ରେନରେ ଦମନଲୀଳା ଚଳାଇଛନ୍ତି ରୁଷ ସେନା | ଏହି ଆକ୍ରମଣରେ ୟୁକ୍ରେନର ଅନେକ ସହର ହୋଇଗଲାଣି ଛାରଖାର | ଶହ ଶହ ନିରୀହ ଲୋକଙ୍କ ଜୀବନ ମଧ୍ୟ ଗଲାଣି । ତେବେ ଯୁଦ୍ଧ ଭିତରେ ଆସିଛି ଏକ ଆଶ୍ଵସ୍ତିକର ଖବର | ୟୁକ୍ରେନର ଚାରୋଟି ସହରରେ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛି ଋଷ । ମଧ୍ୟାହ୍ନ ୧୨.୩୦ ରୁ ୟୁକ୍ରେନ ରାଜଧାନୀ କିବ, ଖାର୍କିଭ, ସୁମି ଏବଂ ମାରିଅପୋଲରେ ଏହି ଅସ୍ତ୍ରବିରତି ଘୋଷଣା କରାଯାଇଛି |
ଫ୍ରାନ୍ସର ଅନୁରୋଧ ପରେ ଋଷ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ସୁମିରେ ଏବେ ବି ପ୍ରାୟ ୭୦୦ ଭାରତୀୟ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଋଷ ପ୍ରଧାନମନ୍ତ୍ରୀ ପୁଟିନଙ୍କୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅସ୍ତ୍ରବିରତି ସମୟରେ, ୟୁକ୍ରେନରେ ଫସି ରହିଥିବା ବିଦେଶୀ ନାଗରିକଙ୍କୁ ସ୍ଥାନାନ୍ତର କରାଯିବ | ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ସ୍ୱତନ୍ତ୍ର କରିଡର ବା ହ୍ୟୁମାନିଟାରିଆନ କରିଡର ପ୍ରସ୍ତୁତ ହୋଇଛି । ଏହି ସମୟ ମଧ୍ୟରେ ଋଷର ସେନା ଡ୍ରୋନ୍ ସାହାଯ୍ୟରେ ନଜର ରଖିବେ । ଉଲ୍ଲେଖନୀୟ କଥା ହେଉଛି, ରୁଷ ଏଭଳି ସମୟରେ ଅସ୍ତ୍ରବିରତି ଘୋଷଣା କରିଛି, ଯେତେବେଳେ ଦୁଇ ଦେଶ ମଧ୍ୟରେ ଆଜି ତୃତୀୟ ରାଉଣ୍ଡ ଆଲୋଚନା ହେବାକୁ ଯାଉଛି | ଅନ୍ୟପକ୍ଷରେ ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ଜଣାଯାଇଛି ।