ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି | ଆଜିକୁ 19 ଦିନରେ ପହଞ୍ଚିଛି ଯୁଦ୍ଧ | ଋଷ ଆକ୍ରମଣ ଫଳରେ ହଜାର ହଜାର ଲୋକ ସେମାନଙ୍କ ଜୀବନ ହରାଇଲେଣି | ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ରକ୍ଷା କରିବାକୁ ୟୁକ୍ରେନ ଛାଡିସାରିଲେଣି | ହେଲେ ଥମିବାର ନାଁ ନେଉନି ଯୁଦ୍ଧ |ୟୁକ୍ରେନ ବିରୋଧରେ ଯୁଦ୍ଧରେ ଋଷକୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡିଛି | କେବଳ ଋଷର ସୈନିକମାନେ ଯୁଦ୍ଧରେ ପ୍ରାଣ ହରାଇ ନାହାଁନ୍ତି, ବରଂ ଦେଶକୁ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡିଛି | ଏହି ସମୟରେ ଅନ୍ୟ ଏକ ବଡ ଖବର ସାମ୍ନାକୁ ଆସିଛି ଯାହା ଭାରତ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି । ଋଷ ଭାରତର ପଡୋଶୀ ଦେଶ ଚୀନର ସହାୟତା ମାଗିଛି |
ଋଷିଆ ସରକାର ଚୀନ ସରକାରଙ୍କୁ ଯୁଦ୍ଧ ଉପକରଣ ଓ ଅର୍ଥନୈତିକ ସହାୟତା ମାଗିଥିବା ଆମେରିକାର ସୁରକ୍ଷା ପରାମର୍ଶଦାତା କହିଛନ୍ତି | ଯୁଦ୍ଧର ଏତେ ଦିନ ବିତିଗଲାଣି କିନ୍ତୁ ଋଷ ସେନା ସଂପୂର୍ଣ୍ଣ ଭାବରେ ୟୁକ୍ରେନ ସହର ଗୁଡିକୁ କବଜା କରିପାରି ନାହାନ୍ତି । ଆମେରିକୀୟ ଅଧିକାରୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଭାରତ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ୟୁକ୍ରେନ ବିରୋଧୀ ଯୁଦ୍ଧରେ ଋଷିଆକୁ ଚୀନ ସହାୟତା କଲେ ସଂକଟକୁ ଚାଲିଯିବ ଭାରତର କୁଟନୈତିକ ସ୍ଥିତି ବୋଲି ହେଉଛି ଆଲୋଚନା |
ଋଷର ଏହି ପଦକ୍ଷେପକୁ ନେଇ ଆମେରିକା ଏବଂ ଚୀନ୍ ସରକାରଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ରୋମରେ ଏହି ବୈଠକ ପୂର୍ବରୁ ହ୍ଇଟ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ ଖୋଲାଖୋଲି ଭାବରେ ଚୀନ୍କୁ ଚେତାବନୀ ଦେଇଛନ୍ତି | ଋଷକୁ ବିଶ୍ୱସ୍ତରୀୟ ପ୍ରତିବନ୍ଧକରୁ ସୁରକ୍ଷା ଦେବାକୁ ଚୀନ ଚେଷ୍ଟା ନକରୁ ବୋଲି ସେ କହିଛନ୍ତି ।ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଧିକାରୀମାନେ କହିଛନ୍ତି ଏହି ବିଶ୍ୱ ସ୍ତରୀୟ ପ୍ରତିବନ୍ଧକ ଋଷର ଅର୍ଥନୀତିକୁ ପ୍ରଭାବିତ କରିଛି। ତେବେ ଆମେ ଚୀନକୁ ଋଷର ସହାୟତା କରିବାକୁ ଦେବୁ ନାହିଁ।