ରୁଷ ଓ ୟୁକ୍ରେନ ବିବାଦ ଘନେଇବାରେ ଲାଗିଛି | ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଯୁଦ୍ଧର ଭୟ ବଢିବାରେ ଲାଗିଛି। | ୟୁକ୍ରେନରେ ଥିବା ଦୁଇଟି ବିଦ୍ରୋହୀ ଅଞ୍ଚଳ ଲୁହାନ୍ସ ଓ ଡୋନେକ୍ସକୁ ରୁଷ ପକ୍ଷରୁ ସ୍ୱାଧୀନ ଘୋଷଣା କରାଯାଇଛି। ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ମିଳିଛି ଦେଶର ମାନ୍ୟତା । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଏହି ଦୁଇ ଅଂଚଳକୁ ସେନା ପଠାଇବା ପାଇଁ ମଧ୍ୟ ଆଦେଶ ଦେଇଛନ୍ତି । ବର୍ତ୍ତମାନ ଋଷର ସୈନ୍ୟମାନେ ୟୁକ୍ରେନର ଏହି ବିଚ୍ଛିନ୍ନତାବାଦୀ ଅଞ୍ଚଳରେ ପ୍ରବେଶ କରି ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବେ। ଋଷର ଏହି ନିଷ୍ପତ୍ତି ୟୁକ୍ରେନ-ରୁଷ ମଧ୍ୟରେ ତିକ୍ତତା ବୃଦ୍ଧି କରିଛି।
ଋଷର ଏହି ପଦକ୍ଷେପକୁ ବିଶ୍ୱର ଅନେକ ଦେଶ ଦୃଢ ସମାଲୋଚନା କରୁଛନ୍ତି। ଆମେରିକା ସବୁବେଳେ କହିଛି ଯେ ଋଷ ଯେ କୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ । କିନ୍ତୁ ଋଷ ଏହି ଆକ୍ରମଣକୁ ଅସ୍ୱୀକାର କରିଥିଲେ ମଧ୍ୟ ୟୁକ୍ରେନ ସୀମାରେ ପ୍ରାୟ ଏକ ଲକ୍ଷ 90 ହଜାରସୈନିକ ନିୟୋଜିତ କରିଛି ଋଷ । ଅନ୍ୟପକ୍ଷରେ ୟୁକ୍ରେନ୍ ସଂକଟ ନେଇ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଚାଲିଛି । ବୈଠକରେ ଶାନ୍ତି ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛି ଭାରତ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛି ଭାରତ । ଏହା ସହ ୟୁକ୍ରେନ୍ରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ମଧ୍ୟ ଦାବି କରିଛି ଭାରତ।