ଖୁବ୍ ଶୀଘ୍ର ୟୁକ୍ରେନ ଉପରେ ଆକ୍ରମଣ କରିପାରେ ଋଷ | ଏ ନେଇ ଚେତାବନୀ ଦେଇଛି ଆମେରିକା | ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଯେ କୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆକ୍ରମଣର ଆଦେଶ ଦେଇପାରନ୍ତି ବୋଲି ଆମେରିକା ସରକାରଙ୍କ ପ୍ରତିନିଧିମାନେ ସତର୍କ କରିଛନ୍ତି। ସେ କହିଛନ୍ତି ଋଷ ୟୁକ୍ରେନ ସୀମାକୁ ତିନି ପାର୍ଶ୍ୱରୁ ଘେରି ରହିଛି | ସେଠାରେ ରୁଷ ସେନା, ନୌସେନା ଏବଂ ବାୟୁସେନାକୁ ଠୁଳ କରିଛି। ସୀମାରେ 550 ରୁ ଅଧିକ ଟେଣ୍ଟ ମଧ୍ୟ ଲଗାଯାଇ ସାରିଲାଣି । ଏହା ବ୍ୟତୀତ ଋଷ ୟୁକ୍ରେନ ସୀମାବର୍ତ୍ତୀ ଓଜୋଭ ସାଗରରେ ନୌ ସେନା ଅଭ୍ୟାସ ଆରମ୍ଭ କରିଦେଇଛି। ଯାହା ଅତ୍ୟାଧୁନିକ ସାଟେଲାଇଟ ଚିତ୍ରରୁ ଦେଖିବାକୁ ମିଳିଛି |
ଖବର ଅନୁଯାୟୀ, ଆମେରିକାର ଗୁପ୍ତଚର ଅଧିକାରୀମାନେ ପୂର୍ବରୁ ଭାବିଥିଲେ ଯେ ଶୀତକାଳୀନ ଅଲିମ୍ପିକ୍ସ ଶେଷ ହେବା ପରେ ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିବେ | ଫେବୃଆରୀ 20 ରେ ଶୀତକାଳୀନ ଅଲମ୍ପିକ୍ସ ଶେଷ ହେବା ପର୍ଯ୍ୟନ୍ତ ଋଷ ଅପେକ୍ଷା କରିବ ନାହିଁ ବୋଲି ଗୁପ୍ତଚର ଅଧିକାରୀଙ୍କୁ ସୂଚନା ମିଳିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍ କହିଛନ୍ତି ଯେ, ଅନୁମାନ କରାଯାଉଛି ଶୀତକାଳୀନ ଅଲିମ୍ପିକ୍ସ ସମୟରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିପାରେ । ଯୁଦ୍ଧରୁ ଦୂରେଇ ରହିବା ଲାଗି ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଶେଷ ଅନୁରୋଧ କରିପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।
କୁହାଯାଉଛି ଯେ 24 ଘଣ୍ଟା ମଧ୍ୟରେ ପରିସ୍ଥିତି ସ୍ୱାଭାବିକ ନ ହେଲେ ପାଶ୍ଚାତ୍ୟ ଦେଶମାନେ ଋଷ ଉପରେ କଡା କଟକଣା ଲଗାଇ ପାରନ୍ତି ।ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ତୁରନ୍ତ ନାଗରିକମାନଙ୍କୁ ୟୁକ୍ରେନ ଛାଡିବା ପାଇଁ ନିବେଦନ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଆମେ ଆମର ନାଗରିକମାନଙ୍କୁ ଅନୁରୋଧ କରୁଛୁ ସେମାନେ 24-48 ଘଣ୍ଟା ମଧ୍ୟରେ ସମସ୍ତ ନାଗରିକ ୟୁକ୍ରେନ ଛାଡି ଶୀଘ୍ର ଆମେରିକା ପଳାଇ ଆସନ୍ତୁ | ଆମେରିକା ପରେ ବର୍ତ୍ତମାନ ବ୍ରିଟେନ, ନରୱେ, ଜାପାନ, ଲାଟଭିଆ ଏବଂ ଡେନମାର୍କ ସରକାର ମଧ୍ୟ ନାଗରିକମାନଙ୍କୁ ୟୁକ୍ରେନ ଛାଡିବାକୁ ନିବେଦନ କରିଛନ୍ତି।
ତେବେ ଏଠାରେ ପ୍ରଶ୍ନ ଉଠୁଛି ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧର ସୂଚନା ନୁହେଁ ତ ? ଲାଗୁଛି ଯେପରି ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ମୁହାଉଁଛି | ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଏତେ ଉଗ୍ର ରୂପ ଧାରଣ କରିଛି ଯେ ପ୍ରାୟ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଦେଇଛି। ଆମେରିକା, ବ୍ରିଟେନ, କାନାଡା, ପୋଲାଣ୍ଡ, ଜର୍ମାନୀ, ଋଷ, ଚୀନ୍ ଭଳି ଶକ୍ତିଶାଳୀ ଦେଶ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛନ୍ତି । ଏହା କଣ ପ୍ରକୃତରେ ତୃତୀୟ ବିଶ୍ୱଯୁଦ୍ଧର ସୂଚନା କି ? ଅବଶ୍ୟ ଋଷ ଏବଂ ୟୁକ୍ରେନ ଯେଉଁଭଳି ଭାବରେ ଲଢୁଛନ୍ତି ଏବଂ ଅନ୍ୟ ଦେଶ ଯେପରି ଏହା ଉପରେ ତୀକ୍ଷ୍ଣ ନଜର ରଖୁଛି , ଲାଗୁଛି ଏହା ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ମୁହାଉଁଛି |