ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ | ଯୁଦ୍ଧ ହେବାର ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ବିତିଗଲାଣି ହେଲେ ଥମିବା ନାଁ ଧରୁନି | ୟୁକ୍ରେନ ମଧ୍ୟ ଛାଡିବା ପରିସ୍ଥିତିରେ ନାହିଁ | ଋଷ ଆକ୍ରମଣର ମୁହଁତୋଡ ଜବାବ ଦେଉଛି | ପୁଟିନଙ୍କ ସାମ୍ନାରେ ୟୁକ୍ରେନ ସହଜରେ ହାର ମାନିବାକୁ ନାରାଜ । ୟୁକ୍ରେନର ଏହି କଡା ଜଵାବକୁ ଦେଖି ଋଷ ଏବେ ଯୁଦ୍ଧ ମୈଦାନରେ S-400 ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ ସିଷ୍ଟମ ବ୍ୟବହାର କରିବାକୁ ନେଇଛି ନିଷ୍ପତି ।ଏଥି ପାଇଁ ରୁଷ ସେନା ଅଭ୍ୟାସ ମଧ୍ୟ କରିଦେଇଛନ୍ତି ଆରମ୍ଭ | ନୋଭୋସିବିରସ୍କ ଅଞ୍ଚଳରେ ଏହି ଅଭ୍ୟାସ ଚାଲିଥିବା ସୂଚନା ମିଳିଛି। S-400କୁ ଦୁନିଆର ସର୍ବୋତ୍ତମ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଭାବରେ ବିବେଚନା କରାଯାଏ |
ଆସନ୍ତୁ ଜାଣିବା S-400 ବିପଜ୍ଜନକ ଅସ୍ତ୍ରର ବିଶେଷତା କ’ଣ ? S-400 ହେଉଛି ଏକ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ମିସାଇଲ (LR-SAM) ସିଷ୍ଟମ୍ | ଯାହା ଋଷର ଆଲମାଜ୍-ଆଣ୍ଟେଙ୍କ ଦ୍ୱାରା ବିକଶିତ ହୋଇଛି | ଏଥିରେ ଷ୍ଟିଲଥ ଯୁଦ୍ଧ ବିମାନ, ବୋମା ବିସ୍ଫୋରଣକାରୀ, କ୍ରୁଜ୍ ଏବଂ ବାଲିଷ୍ଟିକ୍ ମିସାଇଲ ଏବଂ ମାନବ ବିହୀନ ବିମାନ ଚଳାଚଳ ସହିତ ଆକାଶକୁ ଲକ୍ଷ୍ୟ କରି ଏକାଧିକ ଗୁଳି ଚାଳନା କରିବାର କ୍ଷମତା ରହିଛି | S-400 କ୍ଷେପଣାସ୍ତ୍ର ପ୍ରଣାଳୀରେ ଚାରୋଟି ଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ରହିଥାଏ, ଯାହା 400 କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ଛୁଇଁପାରେ | ଏହାର ଦୁଇଟି ପୃଥକ ରାଡାର ସିଷ୍ଟମ ମଧ୍ୟ ଅଛି, ଯାହା 600 କିଲୋମିଟର ପର୍ଯ୍ୟନ୍ତ ଆକାଶରେ ଥିବା ବିମାନକୁ ଚିହ୍ନଟ କରିପାରିବ | ଏବଂ ଏକକାଳୀନ 80 ଏରିଏଲ୍ ଟାର୍ଗେଟ୍କୁ ହିଟ୍ ମଧ୍ୟ କରିପାରିବ | ଆପଣଙ୍କୁ କହି ରଖୁଛୁ ଯେ, S-400 ମିସାଇଲ ସିଷ୍ଟମର ସମାନ ଅସ୍ତ୍ର ଭାରତ ପାଖରେ ମଧ୍ୟ ଅଛି । ଋଷଠାରୁ ଭାରତ କିଣିଥିଲା ।