ପୁରୀ(ଏନଏନଏସ୍): ଆଜି ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀ । ମହାପ୍ରଭୁଙ୍କ ବିବାହ ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପୁରା ପ୍ରସ୍ତୁତ । ସକାଳୁ ଦ୍ୱାରଫିଟା ପରେ ବାଜୁଛି ତେଲିଙ୍ଗି ବାଜା ସହ ଶଙ୍ଖମହୁରୀ ।
ଶ୍ରୀମନ୍ଦିରରେ ସକାଳ ଧୂପ ପରେ ଦକ୍ଷିଣୀ ଘରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ବେଶ ହୋଇଥିଲେ। ଏହି ସମୟରେ ତଢ଼ାଉକରଣ ତାଳପତ୍ର ଓ ଲେଖନୀ ସହ ଉପସ୍ଥିତ ହୋଇ ଭିତରଛଙ୍କ ଦ୍ଵାରା ମାଆଙ୍କ ହାତଛୁଆଁ କରିବା ପରେ ମାଆଙ୍କ ମନୋଭାବକୁ ଲିଖନ କରି ଜୟବିଜୟ ଦ୍ୱାର ନିକଟରେ ଶ୍ରୀ ମଦନ ମୋହନଙ୍କ ନିକଟକୁ ପ୍ରେରିତ ହୋଇଥିଲେ।
ରଥରେ ବିଜେ ଶ୍ରୀ ମଦନମୋହନ ବିମଳା ମନ୍ଦିର ନିକଟରେ ଅପେକ୍ଷା କରିଥିଲେ । ମାଆ ମହାଲକ୍ଷ୍ମୀ ଗ୍ରାମଦେବୀ ମା ବିମଳାଙ୍କ ପୂଜା ସାରି ଫେରିବା ବାଟରେ ଶ୍ରୀ ମଦନମୋହନ ହରଣ କରିଥିଲେ । ବାଟରେ ପଥ ଅବରୋଧ କରିଥିବା ଶିଶୁପାଳଙ୍କୁ ପରାସ୍ତ କରି ବନ୍ଦୀ କରିଥାନ୍ତି। ଏହାପରେ ଶ୍ରୀ ମଦନମୋହନ ଓ ମାଆ ମହାଲକ୍ଷ୍ମୀ ବିବାହ ମାଜଣା ମଣ୍ଡପକୁ ବିଜେ କରିବା ପରେ ସଂକଳ୍ପ ବାକ୍ୟ ପଠନ ପୂର୍ବକ ବିବାହ କାର୍ୟ୍ୟ ସମ୍ପନ୍ନ ହୋଇଥାଏ।