ସରକାରୀ ସ୍କୁଲରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାର ମଧ୍ୟାହ୍ନଭୋଜନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସପ୍ତାହରେ ଦୁଇ ଦିନ ଡାଲି, ଦୁଇ ଦିନ ସୋୟାବାରି ଓ ଦୁଇ ଦିନ ଅଣ୍ଡା ତରକାରୀ ଖାଇବାକୁ ଦେବାର ନିୟମ ରହିଛି । ପ୍ରତିଦିନ ଏହି ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ସ୍ଥାନୀୟ ସ୍ଵୟଂ ସହାୟକ ଦଳର ମହିଳାମାନଙ୍କୁ ଦାୟିତ୍ଵ ଦିଆଯାଇଛି । କିନ୍ତୁ ସ୍ଵୟଂ ସହାୟକ ଦଳର ମହିଳାମାନେ ସ୍କୁଲରେ ପଚା ସଢା ଖାଦ୍ୟ ସାମଗ୍ରୀ ଦେଇ ପିଲାଙ୍କ ଜୀବନ ସହିତ ଖେଳୁଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ସରକାରୀ ପ୍ରାକ୍ଟିସିଂ ସ୍କୁଲରୁ | ପଚା ଅଣ୍ଡା ଖାଇବା ପରେ ଦୁଇଜଣ ପିଲା ବାନ୍ତି କରିଥିବା ମଧ୍ୟ ସାମ୍ନାକୁ ଆସିଛି |
ସରକାରୀ ପ୍ରାକ୍ଟିସିଂ ସ୍କୁଲରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ପଚାସଢ଼ା ଖାଦ୍ୟ ସାମଗ୍ରୀ ଯୋଗାଣ କରାଯାଉଛି । ରାମେଶ୍ୱର ନଗରରେ ଥିବା ମୁସ୍କାନ ସ୍ଵୟଂ ସହାୟକ ଦଳ ତରଫରୁ ସରକାରୀ ପ୍ରାକ୍ଟିସିଂ ସ୍କୁଲକୁ ଖାଦ୍ୟ ସାମଗ୍ରୀ ଦିଆଯାଏ । ଦଳର ସଭାପତି ଭାନୁମତୀ ସାହୁ ପ୍ରତିଦିନ ଏହି ସାମଗ୍ରୀ ଆଣି ଦିଅନ୍ତି । ତେବେ ଶସ୍ତାରେ ମିଳୁଥିବା ପଚାସଢା ଖାଦ୍ୟ ସାମଗ୍ରୀ ଆଣି ସେ ସ୍କୁଲରେ ଦେଉଥିବା ଖୋଦ ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି | ଏହାକୁ ସେ ବିରୋଧ କରିବାରୁ ଓଲଟା ତାଙ୍କ ସହିତ ଝଗଡ଼ା କରୁଥିବା ସ୍କୁଲ ତରଫରୁ କୁହାଯାଇଛି ।
ବୁଧବାର ପିଲାଙ୍କୁ ଅଣ୍ଡା ତରକାରି ଦେବାକୁ ଥିବାବେଳେ ସେ ପଚା ଅଣ୍ଡା ଆଣି ଦେଇଥିଲେ। ଏହାକୁ ଖାଇବା ପରେ ଦୁଇଜଣ ପିଲା ବାନ୍ତି କରିଥିଲେ । ଫଳରେ ସେଠାରେ ଥିବା ପାଚିକାମାନେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ । ଏନେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେରଙ୍କୁ ପଚାରିବାରୁ ତାଙ୍କ ଡିଇଓ କାର୍ଯ୍ୟଳୟକୁ ସେଭଳି କୌଣସି ଅଭିଯୋଗ ଆସିନଥିବା କହିଥିଲେ । ଗୋଟିଏ ପଟେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜିଲ୍ଲା ଶିକ୍ଷାଧିକାର ଙ୍କୁ ସରପ୍ରାଇଜ ଭିଜିଟ କରିବା ପାଇଁ ଡାକୁଥିବା ପ୍ରତିକ୍ରିୟା ଦେଇଥିବା ବେଳେ ଅନ୍ୟପଟେ ଏହି ବିଷୟରେ କିଛି ଜାଣିନଥିବା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମେହେର କହିଥିଲେ ।
ତେବେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ଠାରୁ ମାତ୍ର ୨୦୦ ମି ପରିସୀମା ଭିତରେ ରହିଥିବା ସ୍କୁଲର ଅବସ୍ଥା ଏଭଳି ହେବା ଜିଲ୍ଲା ଶିକ୍ଷା ବିଭାଗର ଦୁର୍ବଳତାକୁ ପଦାରେ ପକାଇଛି । ସହର ଭିତରର ସ୍କୁଲ ମାନଙ୍କରେ ଯଦି ଏଭଳି ଅବସ୍ଥା ତାହେଲେ ଅନ୍ୟ ସ୍କୁଲ ମାନଙ୍କ କିଭଳି ମଧ୍ୟାହ୍ନ ଭୋଜନ ଦିଆଯାଉଥିବ ତାହା ଚିନ୍ତାଜନକ ଅଟେ ବୋଲି ମତାପ୍ରକାଶ ପାଇଛି ।