ନୋଏଡାରେ ରେଭ୍ ପାର୍ଟିର ପର୍ଦ୍ଦାଫାଶ କରିଛି ପୁଲିସ । ଚଢ଼ାଉ କରି ୫ଟି କୋବ୍ରା ସାପକୁ ଉଦ୍ଧାର କରିଛି । ଏହି ମାମଲାରେ ନୋଏଡା ପୁଲିସ ରୁଜୁ କରିଥିବା ଏଫଆଇଆରରେ ବିଗ୍ ବସ୍ ଓଟିଟି ବିଜେତା ଓ ପ୍ରସିଦ୍ଧ ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ନାଁ ମଧ୍ୟ ରହିଛି । ଏଲଭିସ୍, ବିଦେଶୀ ଯୁବତୀଙ୍କ ସହ ରେଭ୍ ପାର୍ଟିର ଆୟୋଜନ କରିଥିଲେ । ଏବଂ ଏହି ପାର୍ଟି ପାଇଁ ବିଷ ସାପ ଯୋଗାଡ଼ କରିଥିବା ଅଭିଯୋଗ ରହିଛି ଏଲଭିସଙ୍କ ନାଁରେ । ନିଶା ଭାବରେ କ୍ରୋବା ସାପର ବିଷ ବ୍ୟବହାର କରାଯାଇଥିବା ରହିଛି ଅଭିଯୋଗ । ଏହି ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରିଛି ।
ରେଭ୍ ପାର୍ଟି ଗୁଡ଼ିକରେ କୋବ୍ରା ଭଳି ବିଷଧର ସାପର ବିଷକୁ ନିଶା ଭାବେ ବ୍ୟବହାର କରାଯାଏ । ଏନେଇ ପିପୁଲ ଫର ଆନିମଲର ସଦସ୍ୟଙ୍କ ନିକଟରେ ଖବର ପହଂଚିବା ପରେ ଏହାର ପର୍ଦ୍ଦାଫାଶ ପାଇଁ ପୂରା ଜାଲ ବିଛାଯାଇଥିଲା । ଦାୟର ହୋଇଥିବା ଏଫଆଇଆର ଅନୁଯାୟୀ
– ରେଭ୍ ପାର୍ଟିରେ ବିଷଧର ସାପର ବିଷକୁ ନିଶା ଭାବରେ ବ୍ୟବହାର କରାଯାଏ
– ଏନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ ପିପୁଲ ଫର ଆନିମଲ ଏନଜିଓର ସଦସ୍ୟ ଗୌରବ ଗୁପ୍ତା
– ଏଥିରେ ଏଲଭିସଙ୍କ ସମ୍ପୃକ୍ତି ଥିବା ନେଇ ଏକ ଷ୍ଟିଙ୍ଗ ଅପରେସନର ଜାଣିବାକୁ ପାଇଥିଲେ
– ଏଲଭିସଙ୍କୁ ଯୋଗାଯୋଗ କରି ରେଭ୍ ପାର୍ଟି ଆୟୋଜନ ପାଇଁ କହିଥିଲେ ଗୌରବ
– ଗୌରବଙ୍କୁ ରାହୁଲ ନାମକ ଜଣେ ବ୍ୟକ୍ତିଙ୍କ ନମ୍ବର ଦେଇଥିଲେ ଏଲଭିସ୍
– ରାହୁଲଙ୍କ ସହ କଥା ହୋଇଥିଲେ ଗୌରବ
– ରାହୁଲ ରେଭ୍ ପାର୍ଟି ପାଇଁ ବିଷଧର ସାପ ନେଇ ଆସିଥିଲେ
– ନୋଏଡା ସେକ୍ଟର ୫୧ର ଥିବା ଏକ ପାର୍ଟି ହଲ୍ରେ ରେଭ୍ ପାର୍ଟିର ଆୟୋଜନ ହୋଇଥିଲା
– ଏନେଇ ଗୌରବ ପୁଲିସ ଓ ବନ ବିଭାଗକୁ ଖବର ଦେଇଥିଲେ
– ସେକ୍ଟର ୫୧ ସ୍ଥିତ ସେଭରନ୍ ପାର୍ଟି ହଲ୍ରେ ଚଢ଼ାଉ କରି ୫ଜଣଙ୍କୁ ଗିରଫ
– ୫ ଟି କୋବ୍ରା, ଗୋଟିଏ ଅଜଗର ସହ ଅନ୍ୟାନ୍ୟ ସାପ ଉଦ୍ଧାର କରାଯାଇଛି
– ୨୦ ମିଲିଲିଟର କୋବ୍ରା ସାପର ବିଷ ଜବତ
ମାମଲା ସମ୍ପର୍କରେ ପଚରାଉଚରା କରିବା ପରେ ବିଗ୍ ବସ୍ ବିଜେତା ତଥା ପ୍ରସିଦ୍ଧ ୟୁଟ୍ୟୁବର ଏଲଭିସଙ୍କ ଭୂୂମିକା ଥିବା ପୁଲିସକୁ ସୂଚନା ମିଳିଥିଲା । ଏହାପରେ ଏଲଭିସଙ୍କ ସମେତ ୬ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଏଲଭିସଙ୍କ ବେକରେ ଅଜଗର ସାପ ଛୁଆ । କେତେବେଳେ ଏଲଭିସ୍ ଏହି ସାପକୁ ବେକରେ ପକାଉଛନ୍ତି ତ କେତେବେଳେ ହାତରେ ଧରୁଛନ୍ତି ପୁଣି ନିଜ ମୁହଁ ନିକଟକୁ ନେଇ ଆସୁଛନ୍ତି । ଏହି ଭିଡିଓ ଏଲଭିସଙ୍କ ନିଜ ୟୁଟ୍ୟୁବ ଚ୍ୟାନେଲ୍ରେ ଅପଲୋଡ କରାଯାଇଛି । ଏବେ ଏହି ଏଫଆଇଆର କପି ଉପରେ ନଜର ପକାନ୍ତୁ । ପିଏଫଏର ସଦସ୍ୟ ଗୌରବ ଗୁପ୍ତାଙ୍କ ପକ୍ଷରୁ ନୋଏଡା ପୁଲିସରେ ଅଭିଯୋଗ ପରେ ଏହି ଏଫଆଇଆର ରୁଜ୍ଜୁ ହୋଇଛି । ଏଥିରେ ଲେଖା ଅଛି ୟୁଟ୍ୟୁବର ଏଲଭିସ୍ ଯାଦବ ସାପ ବିଷକୁ ନିଶା ଆକାରରେ ବ୍ୟବହାର କରାଯାଉଥିବା ରେଭ୍ ପାର୍ଟିର ଆୟୋଜନ କରନ୍ତି । ଦିଲ୍ଲୀ ଏନସିଆର୍ ଅଂଚଳର ବିଭିନ୍ନ ଫାର୍ମ ହାଉସରେ ଏପରି ବିଷଧର ସାପକୁ ନେଇ ଭିଡିଓ ତିଆରି କରନ୍ତି । ଏହି ରେଭ୍ ପାର୍ଟି ଗୁଡିକରେ ବିଦେଶୀ ଯୁବତୀଙ୍କୁ ମଧ୍ୟ ଅଣାଯାଇଥାଏ ବୋଲି ଅଭିଯୋଗ ରହିଛି । ତେବେ ଭାଇରାଲ ହେଉଥିବା ଏଲଭିସଙ୍କ ଏହି ଭିଡିଓରୁ ଏହି ଦୁଇଟି ଅଭିଯୋଗ ଗୋଟିଏ ପ୍ରକାର ସ୍ପଷ୍ଟ ହେଇଯାଉଛି । ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏଲଭିସ୍ । ଏନେଇ ଏକ ଭିଡିଓ ସେୟାର କରି ଏଥିରେ କୌଣସି ସତ୍ୟତା ନଥିବା କହିଛନ୍ତି । ଏହି ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ । ଯଦି ତାଙ୍କ ବିରୋଧରେ ପ୍ରମାଣ ମିଳେ ତେବେ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି କହିଛନ୍ତି ଏଲଭିସ୍ ।
ସୂଚନା ଅନୁସାରେ ଏଲଭିସଙ୍କ ଠାରୁ ନମ୍ବର ନେଇ ରାହୁଲଙ୍କ ସହ କଥା ହେବା ପରେ ରେଭ ପାର୍ଟିର ଆୟୋଜନ ହୋଇଥିଲା । ଏବଂ ରେଭ୍ ପାର୍ଟି ପାଇଁ ସାପଙ୍କୁ ନେଇ ପହଂଚିଥିଲେ ସାପ ଧରାଳୀ । ଏହାପରେ ପୁଲିସ ଓ ବନ ବିଭାଗ ଚଢ଼ାଉ କରି ୯ଟି ସାପ ଉଦ୍ଧାର କରିବା ସହ ୫ଜଣଙ୍କୁ ଗିରଫ କରିଛି