ବହୁ ପ୍ରତିକ୍ଷାର ଅନ୍ତ ଘଟିଛି | ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି | ତେବେ ଆଜିଠାରୁ ଆରମ୍ଭ ହୋଇଛି ଏହି ଲୋକପ୍ରିୟ ଯୋଡ଼ିଙ୍କ ବିବାହ ରୀତିନୀତି | ଆଜି ରଣବୀର-ଆଲିଆଙ୍କ ମେହେନ୍ଦି ଓ ସଙ୍ଗୀତ ସେରିମନି | ଆଜି ଆଲିଆଙ୍କ ହାତରେ ଲାଗିଲା ରଣବୀରଙ୍କ ନାମର ମେହେନ୍ଦି | ମେହେନ୍ଦି ଉତ୍ସବରେ ପହଞ୍ଚଛନ୍ତି ଭଉଣୀ କରିନା ଏବଂ କରିସ୍ମା କପୁର।
କଡା ସୁରକ୍ଷା ମଧ୍ୟରେ ଚାଲିଛି ବିବାହ ରିତିନୀତି | ଆଜି ଗଣେଶ ପୂଜାରୁ ଆରମ୍ଭ ହୋଇଛି ବିବାହ ଉତ୍ସବ | ରଣବୀରଙ୍କ ମା ନୀତୁ କପୁର, ତାଙ୍କ ଝିଅ ରିଦ୍ଧିମା କପୁର ଏବଂ ନାତୁଣୀଙ୍କ ସହ ମନ୍ଦିର ଯାଇ କରିଛନ୍ତି ପୂଜାର୍ଚ୍ଚନା | ନିତୁ କପୁର ଏବଂ ଭଉଣୀ ରିଦ୍ଧିମାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି | ଯେଉଁଥିରେ ସେମାନେ କାରରେ ଭେନ୍ୟୁ ଅର୍ଥାତ୍ ଆର.କେ ସ୍ଟୁଡ଼ିଓକୁ ଯାଉଥିବା ଦେଖିବାକୁ ମିଳିଛି | ତେବେ ରଣବୀର ଏବଂ ଆଲିଆଙ୍କ ବିବାହ ବହୁତ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜନ କରାଯାଉଛି | ତେବେ ତାଙ୍କ ବିବାହ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | ଅତିଥି ତଥା ସୁରକ୍ଷାକର୍ମୀଙ୍କ ପାଇଁ ଅଲଗା ଅଲଗା ବ୍ୟାଣ୍ଡ ପ୍ରସ୍ତୁତ କରାଯାଇଛି | ପ୍ରସିଦ୍ଧ ବଲିଉଡ ଯୋଡ଼ିଙ୍କ ବିବାହ କାର୍ଯ୍ୟକ୍ରମର ସିକ୍ରେଟ ବଜାୟ ରଖିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି | ବିବାହର ସ୍ଥାନଠାରୁ ଆରମ୍ଭ କରି ରୀତିନୀତିର ତାରିଖ ପର୍ଯ୍ୟନ୍ତ ସବୁକିଛି ଗୁପ୍ତ ରଖାଯାଉଛି | ପରିବାରର ସଦସ୍ୟଙ୍କ ବ୍ୟତୀତ କିଛି ମନୋନୀତ ଅତିଥି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ | କିନ୍ତୁ ସେମାନେ ମଧ୍ୟ ବିବାହ ସମ୍ବନ୍ଧୀୟ ତଥ୍ୟ ଗୁପ୍ତ ରଖିବାକୁ କୁହାଯାଇଛି |
ଗତ କିଛି ଦିନ ହେବ ବିବାହ ତାରିଖକୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ଆସିବାରେ ଲାଗିଛି | ତେବେ ଏପ୍ରିଲ ୧୪ ରୁ ୧୭ ମଧ୍ୟରେ ଏହି ପ୍ରସିଦ୍ଧ ଯୋଡି ହାତରୁ ଦି ହାତ ହେବେ ବୋଲି କୁହାଯାଉଛି |