ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଟେଲିଭିଜନ ଶୋ ‘ରାମାୟଣ’ ଆଜିଠାରୁ (ଜୁଲାଇ ୩) ଟେଲିଭିଜନରେ ଫେରିବାକୁ ଯାଉଛି । ଆଜିଠାରୁ ଏହି ଶୋ’ ସନ୍ଧ୍ୟା ୭ଟା ୩୦ ମିନିଟରେ ପ୍ରସାରଣ ହେବ। ତେବେ ଏହି ଧାରାବାହିକରେ ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଭେଟେରାନ୍ ଅଭିନେତା ଅରୁଣ ଗୋଭିଲ୍ ପୁରୁଣା ସ୍ମୃତିକୁ ମନେପକାଇଛନ୍ତି । ଏହି ଅବସରରେ ସେ କିପରି ପ୍ରଭୁ ରାମଙ୍କ ଚରିତ୍ରରେ ଅଂଶ ଗ୍ରହଣ କରିଥିଲେ ସେ ବିଷୟରେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।
ଗୋଭିଲ୍ କହିଛନ୍ତି, ୧୯୭୭ ରୁ ସେ ରାଜଶ୍ରୀ ପିକ୍ଚର୍ସ ଏବଂ ସାଗର ସାହେବଙ୍କ ସହ କାମ କରିବା ଆରମ୍ଭ କରିଥିଲେ । ସେ ଆନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ‘ବାଦଲ’ ରେ ମଧ୍ୟ କାମ କରିଥିଲେ ଏବଂ ସେ’ ବିକ୍ରମ ଔର ବେତାଲ ‘ ରେ ବି ଅଭିନୟ କରିଥିଲେ । ସେତେବେଳେ ହିଁ ସେ ଜାଣିବାକୁ ପାଇଥିଲେ ଯେ ସାଗର ସାହେବ ‘ରାମାୟଣ’ ତିଆରି କରୁଛନ୍ତି । ଏହାପରେ ସେ ତାଙ୍କ ନିକଟକୁ ଯାଇ ରାମଙ୍କ ଚରିତ୍ରରେ ଅଭିନୟ କରିବାକୁ କହିଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁରାଣରେ କାମ କରିବା ସେତେବେଳେ ଏକ ସାଧାରଣ କଥା ନଥିଲା । ତାଙ୍କ ପରିବାର ଏବଂ ସାଙ୍ଗମାନେ ମଧ୍ୟ ଏପରି ପୌରାଣିକ ଶୋ’ରେ ଅଭିନୟ ନକରିବାକୁ ପରାମର୍ଶ ଦେଇଥିଲେ। ତଥାପି ଗୋଭିଲ୍ ପ୍ରଭୁ ରାମଙ୍କୁ ଅନସ୍କ୍ରିନରେ ଚିତ୍ରଣ କରିବାକୁ ଆଗ୍ରହୀ ଥିଲେ । କିନ୍ତୁ ପ୍ରଥମେ ତାଙ୍କୁ ରାମ ଭୂମିକାରୁ ପ୍ରତ୍ୟାଖାନ କରାଯାଇଥିଲା ।
ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର, ମୋତି ସାଗର ଏବଂ ଆନନ୍ଦ ସାଗର ତାଙ୍କୁ ଭରତ ଏବଂ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିବାକୁ କହିଥିଲେ, କିନ୍ତୁ ସେ କହିଥିଲେ, ‘ ସେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିବାକୁ ଚାହୁଁଛନ୍ତି ଏବଂ ଯଦି ମୁଁ ଏହା ପାଇଁ ଉପଯୁକ୍ତ ନୁହେଁ ତେବେ କିଛି କହିବାର ନାହିଁ।’ ତେବେ ପରେ ସେମାନେ ଏହି ଭୂମିକା ପାଇଁ ଅନ୍ୟ କଳାକାରଙ୍କୁ ଚୟନ କରିଥିଲେ ବୋଲି ଗୋଭିଲ୍ କହିଛନ୍ତି । କିନ୍ତୁ କିଛି ଦିନ ବିତିଯିବା ପରେ ତାଙ୍କୁ ପୁଣି ଏହି ଭୂମିକା ପାଇଁ ନିର୍ମାତାମାନେ ଡକାଇଥିଲେ ଏବଂ ଶେଷରେ ରାମାୟଣ ଶୋ’ରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ ବୋଲି ଅରୁଣ ଗୋଭିଲ୍ କହିଛନ୍ତି ।