ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ
୩୧ ବର୍ଷ ପରେ ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏ.ଜି. ପେରାରିଭାଲନ । ପେରାରିଭାଲନଙ୍କୁ ମୁକ୍ତ କରିବା ପାଇଁ ବୁଧବାର ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ । ତେବେ ୩୧ ବର୍ଷ ଧରି ବନ୍ଦୀ ଜୀବନ ବିତାଉଥିବା ଏଜି ପେରାରିଭାଲନ ଆଜି ଜେଲର ଚାରିକାନ୍ଥରୁ ମୁକ୍ତ ହେବେ। ଧାରା ୧୪୨ରେ ଥିବା ସ୍ୱତନ୍ତ୍ର କ୍ଷମତା ବଳରେ ଏହି ରାୟ ଦେଇଛନ୍ତି କୋର୍ଟ ।
ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ପେରାରିଭାଲନ ପୂର୍ବରୁ ଦୋଷୀ ସାବ୍ୟସ୍ତ ହେବା ସହିତ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ପେରାରିଭାଲନ ପୂର୍ବରୁ ଦେଇଥିବା ଦୟା ଯାଚିକା ବିଚାର କରିବା ପାଇଁ ତାମିଲନାଡୁ ସରକାର ଅଧିକ ସମୟ ନେଇଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଲ. ନାଗେଶ୍ବର ରାଓ ଧାରା ୧୪୨ ପ୍ରୟୋଗ କରି ପେରାରିଭାଲନଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜେଲରେ ଭଲ ବ୍ୟବହାର, ସ୍ୱାସ୍ଥ୍ୟାବସ୍ଥା ଏବଂ ଶିକ୍ଷାଗତ ଯୋଗ୍ୟତାକୁ ଦେଖି କୋର୍ଟ ଏଜି ପେରାଇଭାଲନଙ୍କୁ ଜେଲରୁ ମୁକ୍ତ କରିବାକୁ ରାୟ ଶୁଣାଇଛନ୍ତି ।
୧୯୯୧ ମେ ୨୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା | ଧାନୁ ନାମକ ଜଣେ ମହିଳା, ଆତ୍ମଘାତୀ ବୋମା ଲଗାଇ ବିସ୍ଫୋରଣରେ ଉଡାଇ ଦେଇଥିଲେ | ରାଜୀବଙ୍କୁ ହତ୍ୟା ବେଳେ ପେରାରିଭାଲନଙ୍କୁ ୧୯ ବର୍ଷ ବୟସ ହୋଇଥିଲା। ଏଲଟିଟିଇର ସଦସ୍ୟ ଶିଭରସନ୍ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲେ। ରାଜୀବଙ୍କ ହତ୍ୟା ଷଡ଼ଯନ୍ତ୍ରର ଅନ୍ୟତମ ଖଳନାୟକ ଥିଲେ ପେରାରିଭାଲନ । ୧୯୯୮ରେ ଆତଙ୍କବାଦୀ ନିରୋଧୀ କୋର୍ଟରେ ପେରାରିଭାଲନ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ଫାଶି ଦଣ୍ଡାଦେଶ ହୋଇଥିଲା। ଏହାର ପରବର୍ଷ ସୁପ୍ରିମକୋର୍ଟ ତଳକୋର୍ଟର ରାୟକୁ କାଏମ ରଖିଥିଲେ। ତେବେ ୨୦୧୪ରେ ତାଙ୍କ ଫାଶୀ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ।