ପୁରୀ(ଏନଏନଏସ୍): ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ପଇତା ଲାଗି । ବୈଶାଖ-କୃଷ୍ଣ ଦ୍ୱାଦଶୀ ତିଥିରେ ଶ୍ରୀଜୀଉ- ମାନଙ୍କ ପଇତା ଲାଗି କରାଯାଇଥାଏ । ଶ୍ରୀଜୀଉଙ୍କ ଏହି ନୀତି ଦ୍ୱିତୀୟ ଭୋଗମଣ୍ଡପ ପରେ ପରେ ଅନୁଷ୍ଠିତ ହେବ। ଏନେଇ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଏହି ପଇତା ଲାଗି ସେବା ଦଇତାପତିମାନଙ୍କର ସେବା । ଶ୍ରୀଜିଉଙ୍କ ଠାରେ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ନିମନ୍ତେ ମହାପ୍ରଭୁଙ୍କ ପଇତା ଲାଗି କରାଯାଇଥାଏ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ସେବକଙ୍କୁ ପଇତା ବୋଳିବା ପାଇଁ ତିନି ରଙ୍ଗର ବାସୁଙ୍ଗାପାଟ ଯୋଗାଇ ଦିଆଯାଏ ।
ଏହାପରେ ପାଟରା ସେବକ ବାସୁଙ୍ଗା ପାଟ ନେଇ ଲକ୍ଷ୍ମୀ ମନ୍ଦିର ଜଗମୋହନରେ ବସି ପଇତା ବୋଳିଥାନ୍ତି । ପଇତା ବୋଳି ସାରି ପାଟରା ସେବକ ଦେଉଳକରଣଙ୍କୁ ଯୋଗାଇଥାନ୍ତି ଏବଂ ଦେଉଳ କରଣ ତାହା ଦଇତାପତି ସେବାୟତଙ୍କୁ ପ୍ରଦାନ କରିବା ପରେ ମହାପ୍ରଭୁଙ୍କର ଏହି ଗୁପ୍ତ ସେବା ଅନୁଷ୍ଠିତ ହୋଇଥାଏ ।