ଜଣେ ଚକ୍ଷୁଦାନ କଲେ ତାହା ଜଣେ କିମ୍ବା ୨ଜଣଙ୍କୁ ଦୃଷ୍ଟିଶକ୍ତି ଫେରାଇବାରେ ସାହାଯ୍ୟ କରେ । କିନ୍ତୁ କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ପୁନୀଥ୍ ରାଜକୁମାରଙ୍କ ଆଖି ଏବେ ୪ ଜଣ ଯୁବକଙ୍କୁ ଦୃଷ୍ଟିଶକ୍ତି ଫେରାଇ ଦେଇଛି । ଉନ୍ନତ ଜ୍ଞାନ କୌଶଳ ସାହାଯ୍ୟରେ ୪ ଜଣ ଦୃଷ୍ଟିହୀଙ୍କ ନିକଟରେ ଏହା ସଫଳତାର ସହ ପ୍ରତିରୋପଣ କରାଯାଇଥିବା ଡାକ୍ତରମାନେ କହିଛନ୍ତି । ମାଇକ୍ରୋ ସର୍ଜରୀର ଅତ୍ୟାଧୁନିକ ଜ୍ଞାନ କୌଶଳ ଦ୍ୱାରା ଏହା ସମ୍ଭବ ହୋଇପାରିଥିବା ବେଙ୍ଗାଲୁରସ୍ଥିତ ନାରାୟଣା ନେତ୍ରାଳୟର ଅଧ୍ୟକ୍ଷ ଡ଼. ଭୁଜାଙ୍ଗ ସେଟ୍ଟି କହିଛନ୍ତି । ସାଧାରଣତଃ ଦାନ ଆଖିକୁ ଆମେ ଦୁଇ ଜଣଙ୍କ ନିକଟରେ ପ୍ରତ୍ୟାରୋପଣ କରିଥାଉ । କିନ୍ତୁ ପୁନୀଥ୍୍ଙ୍କ ଆଖିକୁ ଆମେ ୪ ଜଣ ଯୁବକଙ୍କ ନିକଟରେ ଟ୍ରାନ୍ସପ୍ଲାଣ୍ଟ କରିବାରେ ସକ୍ଷମ ହେଲୁ । ଯେଉଁଦିନ ତାଙ୍କ ମୃତ୍ୟୁ ହୋଇଥିଲା ସେହିଦିନ ହିଁ ଆମେ ତାଙ୍କର ଆଖି ସଂଗ୍ରହ କରିଥିଲୁ । ତା ପରଦିନ ୪ ଜଣ ଯୁବକଙ୍କ ନିକଟରେ ଏହା ପ୍ରତ୍ୟାରୋପଣ କରାଯାଇଥିଲା । ମାଇକ୍ରୋ ସର୍ଜରୀ ଦ୍ୱାରା କର୍ଣ୍ଣିଆର ଉନ୍ନତ ଏବଂ ଗଭୀର ଲେୟାରକୁ ପୃଥକ କରି ଦୁଇ ରୋଗୀଙ୍କ ଚିକିତ୍ସା ପାଇଁ ଆମେ ପ୍ରତ୍ୟେକ ଆଖି ବ୍ୟବହାର କରିଥିଲୁ । ଯାହା ପାଖରେ ସୁପରଫିସିଆଲ କଣ୍ଣିଅଲ୍ ରୋଗ ଥିଲା ତାଙ୍କ ନିକଟରେ ଉନ୍ନତ ଲେୟାର ବ୍ୟବହାର କରାଯାଇଥିଲା ଏବଂ ଯାହା ପାଖରେ ଏଣ୍ଡୋଥେଲିଆଲ ଏବଂ ଡିପ୍ କର୍ଣ୍ଣିଅଲ୍ ରୋଗ ଥିଲା ତାଙ୍କ ନିକଟରେ ଡିପର ଲେୟାର ପ୍ରତିରୋପଣ କରାଯାଇଥିଲା । ତେଣୁ ଆମେ ୪ଜଣ ରୋଗୀଙ୍କ ଦୃଷ୍ଟିଶକ୍ତି ଫେରାଇବା ପାଇଁ ଦୁଇଟି କର୍ଣ୍ଣିଆରୁ ଚାରୋଟି ଭିନ୍ନ ପ୍ରକାର ପ୍ରତିରୋପଣ କରିଥିଲୁ । ରାଜ୍ୟରେ ଏଭଳି ପ୍ରତିରୋପଣ ପୂର୍ବରୁ କେବେ କରାଯାଇନଥିବା ଡ଼.ସେଟ୍ଟି କହିଛନ୍ତି । ତେବେ ୨୦୦୬ରେ ପୁନୀଥ୍ଙ୍କ ବାପା ଡ. ରାଜକୁମାରଙ୍କ ଆଖି ମଧ୍ୟ ଦାନ କରାଯାଇଥିଲା । ସେହିଭଳି ୨୦୧୭ରେ ପୁନୀତଙ୍କ ମା’ ପାର୍ବତମ୍ ରାଜକୁମାର ମଧ୍ୟ ନିଜ ଆଖିଦାନ କରିଥିଲେ ।