ମାଲକାନଗିରି ଜିଲ୍ଲାବାସୀଙ୍କ ବହୁଦିନର ସ୍ବପ୍ନ ହେଲା ସାକାର । ଜନଶୁଣାଣିରେ ଗ୍ରାମବାସୀଙ୍କ ସବୁ ସର୍ତ୍ତକୁ ମାନିନେଲା ଡାଲମିଆ ସିମେଣ୍ଟ କମ୍ପାନୀ। ସିମେଣ୍ଟ କମ୍ପାନୀ ନିର୍ମାଣ ପାଇଁ ଜମି ହରାଉଥିବା ସ୍ଥାନୀୟ ଆଦିବାସୀ ଲୋକଙ୍କ ମନ ଜିଣିପାରିଛି କମ୍ପାନୀ। ଏଠାରେ ସିମେଣ୍ଟ କମ୍ପାନୀ ହେଲେ କେହି ହେବେନି ବିସ୍ଥାପିତ | ସମସ୍ତ କ୍ଷତିଗ୍ରସ୍ତଙ୍କ ପରିବାରକୁ ଜମି ବଦଳରେ ମିଳିବ ଜମି | ଏଥିସହ ଚାକିରି , ଯୁବକଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହଯୋଗ , ମହିଳା ମାନଙ୍କୁ ତାଲିମ , ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟସେବା, ରାସ୍ତାଘାଟ | ମୋଟାମୋଟି କହିବାକୁ ଗଲେ ଅଞ୍ଚଳର ସମ୍ପୂର୍ଣ୍ଣ ବିକାଶର ପ୍ରତିଶ୍ରୁତି ଦେଇଛନ୍ତି ଡାଲମିଆ ସିମେଣ୍ଟର ସହକାରୀ ନିର୍ଦେଶକ ସରୋଜ କୁମାର ରାଉତ।
ସଦର ବ୍ଲକ ଅନ୍ତର୍ଗତ ମାଟାପାକା ଓ ନିଲିଗୁଡ଼ା ଅଞ୍ଚଳରେ ପ୍ରସ୍ତାବିତ ସିମେଣ୍ଟ କମ୍ପାନୀ ପାଇଁ ମାଟାପାକା ପଞ୍ଚାୟତର ୮୦୧ ହେକ୍ଟର ଚୁନ ପଥର ଖଣି ଲିଜ ଆକାରରେ ମିଳିଛି | କମ୍ପାନି ନିର୍ମାଣ ପାଇଁ ଆଉ ୪ ଶହ ହେକ୍ଟର ଜମିର ଆବଶ୍ୟକତା ଥିଲା। ୧୪୮ ହେକ୍ଟର ଆଦିବାସୀଙ୍କ ପଟ୍ଟା ଜମି ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ଏବଂ ଡାଲମିଆ କମ୍ପାନି କର୍ତୃପକ୍ଷଙ୍କୁ ନେଇ ଏକ ଜଣଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀମାନେ ଡାଲମିଆ ସିମେଣ୍ଟ କମ୍ପାନୀକୁ ଗ୍ରୀନ ସିଗନାଲ ଦେଇଛନ୍ତି। ଏହି ଜଣଶୁଣାଣି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ ସଭାପତିତ୍ବ କରିଥିଲେ | ତିନିଗୋଟି ପଞ୍ଚାୟତର ଲୋକେ ନିଜ ନିଜର ମନ୍ତବ୍ୟ ତଥା ମତ ପ୍ରକାଶ କରିଥିଲେ। ତେବେ କମ୍ପାନୀ ପ୍ରତିଷ୍ଠା ହେଲେ ଅଞ୍ଚଳର ସମସ୍ତ ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବା ସହିତ କ୍ଷତିପୂରଣ ଓ ଉନ୍ନୟନ କାର୍ଯ୍ୟ ପାଇଁ ଦାବି କରିଥିଲେ ଗ୍ରାମବାସୀ । ଏଥିରେ କମ୍ପାନୀ କର୍ତ୍ତୃପକ୍ଷ ସହମତି ଦେବା ସହିତ ସମସ୍ତ ପ୍ରକାର ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।