ଉତ୍ତରପ୍ରଦେଶରେ କିଏ ହେବେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗତକାଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ନିଜକୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଥିଲେ । କିନ୍ତୁ ଆଜି ସେ ତାଙ୍କ ମତ ପରିବର୍ତନ କରି ଦେଇଛନ୍ତି | ୟୁପି ସିଏମ୍ ପ୍ରାର୍ଥୀଙ୍କ ସମ୍ପର୍କରେ ପ୍ରିୟଙ୍କା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା ଦଳ ସ୍ଥିର କରିବ। ମୁଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହେଁ | ମୁଖ୍ୟମନ୍ତ୍ରୀ କିଏ ହେବେ ବୋଲି ସାମ୍ବାଦିକମାନେ ବାରମ୍ବାର ପ୍ରଶ୍ନ କରିବାରୁ ମୁ ଚିଡିଯାଇ ଏପରି କହିଥିଲି ବୋଲି ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ କେତେକ ସ୍ଥାନରେ ଦଳ ସ୍ଥିର କରେ କିଏ ସିଏମ୍ ପ୍ରାର୍ଥୀ ହେବେ ଏବଂ କେଉଁଠି ସ୍ଥିର ବି କରେ ନାହିଁ। ଏହା ହେଉଛି ଦଳର ନିଷ୍ପତି, ମୋର ନୁହେଁ |
କଂଗ୍ରେସର ଉତ୍ତରପ୍ରଦେଶର ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଉତ୍ତରପ୍ରଦେଶର ସବୁଠାରୁ ବଡ ସମସ୍ୟା ହେଉଛି ନିଯୁକ୍ତି। ରାଜ୍ୟର ଯୁବକମାନେ ଯୋଗ୍ୟ, କିନ୍ତୁ ସେମାନେ ଚାକିରି ପାଉନାହାନ୍ତି | ସରକାରଙ୍କ ପକ୍ଷରୁ ବଡ ବଡ ଘୋଷଣା କରାଯାଏ, କିନ୍ତୁ ଚାକିରୀ କିପରି ଯୋଗାଇ ଦିଆଯିବ ତାହା କୁହାଯାଇ ନାହିଁ |ରାଜ୍ୟରେ ନୂତନ ନିଯୁକ୍ତି ଆଇନ ସୃଷ୍ଟି କରିବାକୁ ଯୁବକମାନେ ଦାବି କରିଥିଲେ। ପ୍ରିୟଙ୍କା ଗାନ୍ଧୀ ଘୋଷଣା କରିଛନ୍ତି ଯେ, ଯଦି କଂଗ୍ରେସ ସରକାର ଗଠନ କରେ ତେବେ ଉତ୍ତରପ୍ରଦେଶରେ 20 ଲକ୍ଷ ବେକାରଙ୍କୁ ଚାକିରି ଦିଆଯିବ | ଯେଉଁଥିରୁ 40 ପ୍ରତିଶତ ଅର୍ଥାତ୍ ଆଠ ଲକ୍ଷ ଚାକିରି ମହିଳାମାନଙ୍କୁ ଦିଆଯିବ |ସଂରକ୍ଷଣ ସହ ଜଡିତ ‘ଘୋଟାଲା’କୁ ରୋକିବା ପାଇଁ ମଧ୍ୟ କଡା ବ୍ୟବସ୍ଥା କରାଯିବ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଗଠନ ନିର୍ବାଚନ ପୁନଃ ସ୍ଥାପିତ କରାଯିବ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି |