ମା’ ହେଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସରୋଗେସି ଜରିଆରେ ମା’ ହୋଇଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା । ଏନେଇ ପ୍ରିୟଙ୍କା ଚୋପ୍ରା ଶୁକ୍ରବାର ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ମାଧ୍ୟମରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ତାଙ୍କର ଏହି ପୋଷ୍ଟ ପରେ ଉଭୟ ପ୍ରିୟଙ୍କା ଓ ନିକଙ୍କୁ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ଜଣାଇଛନ୍ତି । ବିବାହର ୩ ବର୍ଷ ପରେ ତାଙ୍କ ଘରକୁ କୁନି ଅତିଥି ଆସିଥିବା ନେଇ ଦୁହେଁ ପ୍ରିୟଙ୍କା ଓ ନିକ୍ ଜୋନ୍ସ ବେଶ ଖୁସି ବ୍ୟକ୍ତ କରିଛନ୍ତି । ହେଲେ ଦୁହେଁ ଏଯାଏଁ ସ୍ପଷ୍ଟ କରି ନାହାନ୍ତି ତାଙ୍କର ପୁଅ ହୋଇଛି ନା ଝିଅ । ତେବେ ସେ ନିଜର ସନ୍ତାନର ଫଟୋ ଏବେ ସୋସିଆଲ ମିଡିଆରେ ସେୟାର କରିବାକୁ ଚାହାଁନ୍ତି ନାହିଁ ବରଂ ସୋସିଆଲ ମିଡିଆରୁ ନିଜ ପରିବାରର ପ୍ରାଇଭେସି ଦୂରେଇ ରଖିବାକୁ ଚାହାଁନ୍ତି ବୋଲି ଏକ ଟ୍ୱିଟ କରି କହିଛନ୍ତି ପ୍ରିୟଙ୍କା ।
ମା’ ହେବା ପରେ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ଲେଖିଛନ୍ତି – ଆପଣ ଜାଣି ଖୁସି ହେବେ ଯେ ଆମେ ସରୋଗେସି ମାଧ୍ୟମରେ ଆମ ସନ୍ତାନକୁ ସ୍ୱାଗତ କରୁଛୁ । ଆମେ ଏହି କଥାକୁ ଗୋପନୀୟ ରଖିଥିଲୁ କାରଣ ସେହି ସମୟରେ ଆମେ ଆମ ପରିବାର ଉପରେ ଧ୍ୟାନ ଦେବାକୁ ଅଧିକ ଗୁରୁତ୍ୱ ଦେଇଥିଲୁ । ଏଥିପାଇଁ କହିଥିଲୁ କି ଠିକ୍ ସମୟ ଆସିଲେ ନିଶ୍ଚିତ ଜଣାଇବୁ । ଏବେ ସେହି ସମୟ ଆସିଯାଇଛି |
ସୂଚନାଯୋଗ୍ୟ, ୨୦୧୮ରେ ପ୍ରିୟଙ୍କା ଚୋପ୍ରା ଆମେରିକାନ ସିଙ୍ଗର ନିକ ଜୋନସଙ୍କୁ ବିବାହ କରିଥିଲେ । ଏମାନଙ୍କ ବିବାହ ରାଜସ୍ଥାନ ଯୋଧପୁରର ଉମ୍ମେଦ ଭବନ ପ୍ୟାଲେସରେ ହିନ୍ଦୁ ଓ ଇସାଇ ରିତିନୀତିରେ ଅନୁଷ୍ଠିତ ହୋଇଥିଲା । କିଛିଦିନ ପୂର୍ବରୁ ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମରୁ ନିକ ଜୋନସଙ୍କ ସରନେମ ହଟାଇ ଦେବା ପରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇପାରେ ବୋଲି ଆଲୋଚନା ହୋଇଥିଲା |