ମହାମହିମ ରାଷ୍ଟ୍ରପତି ତଥା ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟି, କର୍ମଭୂମି ରାଇରଙ୍ଗପୁର ଓ ମୟୁରଭଞ୍ଜ ଦୁଇଦିନିଆ ଗସ୍ତରେ ଆସୁଥିବା ଜଣାପଡିଛି । ଏନେଇ ରାଇରଙ୍ଗପୁର ସହର ତଥା କୁସୁମୀ ବ୍ଲକର ପାହାଡପୁର ଜିଲ୍ଲାବାସୀଙ୍କ ମନରେ ଖୁସି ପ୍ରକାଶ ପାଇଛି । ସୂଚନା ଅନୁସାରେ ରଷ୍ଟ୍ରପତି ମେ ୮ତାରିଖ ସକାଳେ ନୂଆଦିଲ୍ଲୀରୁ ବିମାନଯୋଗ ଆସି କଲେଇକୋଣ୍ଡା ବାୟୁସେନା ଘାଟୀରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାମନଘାଟୀ ଉପଖଣ୍ଡର ବାଦାମପାହାଡ କଲେଜ ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ ।
ଏହାପରେ ମହାମହିମ ୩କିମି ସଡକ ପଥରେ ଆସି ତାଙ୍କ ପରଲୋକଗତ ସ୍ୱାମୀ ଶ୍ୟାମଚରଣ, ଦୁଇପୁଅ ଲକ୍ଷ୍ମଣ ଓ ସିପୁନଙ୍କ ସ୍ମୃତିରେ ପାହାଡ଼ପୁରରେ ସ୍ଥାପନ କରିଥିବା ଏସଏଲଏସ ଟ୍ରଷ୍ଟ ଆବାସିକ ବିଦ୍ୟାଳୟର ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଯୋଗ ଦେବେ। ମେ ୯ ତାରିଖ ପୂର୍ବାହ୍ନ ୧୦ଟାରେ ମହାମହିମ ରାଷ୍ଟ୍ରପତି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୧୧ଟାରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।