ଚିକିତ୍ସା ସମୟରେ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଛି | ଚିକିତ୍ସାରେ ଅବହେଳା କାରଣରୁ ଗର୍ଭବତୀ ମୃତ୍ୟୁବରଣ କରିଥିବା ପରିବାର ଲୋକେ କରିଛନ୍ତି ଅଭିଯୋଗ | ମହିଳାଙ୍କ ମୃତ୍ୟୁକୁ ନେଇ ହସପିଟାଲ ସମ୍ମୁଖରେ ପ୍ରକାଶ ପାଇଛି ଉତ୍ତେଜନା l କେନ୍ଦୁଝର ଟାଉନରେ ଥିବା ଏକ ଘରୋଇ ହସପିଟାଲରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା |
କେନ୍ଦୁଝର ଘଟଗାଁ ଅଂଚଳର ଗର୍ଭବତୀ ଅନୁପମା ରାଉତଙ୍କୁ ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଡାକ୍ତର ମମତା ଜେନା ତାଙ୍କୁ ଚିକିତ୍ସା କରି ତାଙ୍କର ନର୍ମାଲ ଡେଲିଭରି ହେବ ବୋଲି କହିଥିଲେ l କିନ୍ତୁ ରାତିରେ ଡାକ୍ତର ମମତା ମେଡିକାଲ ୱାର୍ଡ ପରିଦର୍ଶନରେ ଆସି କହିଥିଲେ ଯେ ରୋଗୀ ଠିକ ଅଛନ୍ତି l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିକଟରେ ରହିଛି ମୋ ନିଜର ଘରୋଇ ନର୍ସିଙ୍ଗହୋମ | ତେଣୁ ସେଠାକୁ ନେଇଗଲେ ଆହୁରି ଭଲ ଚିକିତ୍ସା ମିଳିପାରିବ ବୋଲି କହିଥିଲେ | ତେଣୁ ପରିବାର ଲୋକେ ଡାକ୍ତରଙ୍କ କଥା ମାନି ମହିଳାଙ୍କୁ ଘରୋଇ ନର୍ସିଙ୍ଗହୋମରେ ଭର୍ତ୍ତି କରିଥିଲେ l ରାତିରେ ଅପରେସନ ହେଲା ଓ ଏକ ପୁତ୍ର ସନ୍ତାନ ଜନ୍ମ ହେଲା l ପରଦିନ ସକାଳେ ହଠାତ ରୋଗୀ ଗୁରୁତର କହି କଟକ ନେବାକୁ କହିଥିଲେ ଡାକ୍ତର | ପରିବାର ଲୋକେ ତାଙ୍କ କଥା ମାନି କଟକ ବଡ ମେଡିକାଲକୁ ଆଣିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି l ଚିକିତ୍ସାରେ ଅବହେଳା କରି ମହିଳାଙ୍କୁ ମାରି ଦିଆଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l ମହିଳାଙ୍କ ଶବକୁ ଘରୋଇ ନର୍ସିଙ୍ଗହୋମ ଆଗରେ ରଖି ପରିବାର ଲୋକେ ପାଟିତୁଣ୍ଡ କରିଥିଲେ | ଘଟଣାସ୍ଥଳରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା l ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି |