କଂଗ୍ରେସରେ ଯୋଗ ଦେଇପାରନ୍ତି ପ୍ରଶାନ୍ତ କିଶୋର | ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ହୋଇଆସୁଥିଲା | ଏବେ ଏହି ଚର୍ଚ୍ଚାର ଏକପ୍ରକାର ଅବସାନ ଘଟିବାକୁ ଯାଉଛି। ଖୁବ୍ଶ୍ରୀଘ୍ର ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି |
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ତାଙ୍କ ବାସ ଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକର ଆୟୋଜନ କରିଛନ୍ତି । ଏହି ବୈଠକରେ ଦଳର ଅନ୍ତରୀଣ କନ୍ଦଳ ଓ ଆଗାମୀ ରଣନୀତି ନେଇ ଆଲୋଚନା ହେବ ବୋଲି ସୂଚନା ରହିଛି । ହେଲେ ଏହି ବୈଠକକୁ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନିମନ୍ତ୍ରଣ କରାଯିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ କଂଗ୍ରେସ ପ୍ରଶାନ୍ତ କିଶୋରଙ୍କୁ ଦଳରେ ଯୋଗଦେବାକୁ ପ୍ରସ୍ତାବ ଦେଇଛି। ଦଳର ପରାମର୍ଶଦାତା ଭାବେ ନୁହେଁ ବରଂ ଜଣେ ସଦସ୍ୟ ତଥା ନେତା ଭାବେ ଯୋଗ ଦେବାକୁ କଂଗ୍ରେସ ପକ୍ଷରୁ ତାଙ୍କୁ ପ୍ରସ୍ତାବ ମିଳିଛି।
ଅନ୍ୟପକ୍ଷେ କିଛିଦିନ ତଳେ ପ୍ରଶାନ୍ତ କିଶୋର ଏକ ବୟାନରେ କହିଥିଲେ କି, ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ଏତେ ସହଜ ନୁହେଁ । ଯଦି ଠିକ ସମୟରେ ଠିକ ରଣନୀତି ପ୍ରସ୍ତୁତ କରି ବିରୋଧୀମାନେ ନିର୍ବାଚନୀ ମଇଦାନକୁ ଓହ୍ଳାଇବେ ତେବେ କେନ୍ଦ୍ରରେ ଏକ ମଜବୁତ ବିରୋଧୀ ଦଳ ଆଗକୁ ଆସିପାରିବ ।