ବିଜେଡିରେ ସାମିଲ୍ ହେବେ କଂଗ୍ରେସରୁ ଇସ୍ତଫା ଦେଇଥିବା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ନବରଙ୍ଗପୁରରେ ପ୍ରେସମିଟ୍ରେ କଲେ ଘୋଷଣା
ପ୍ରଦୀପ କେବେ ବିଜେଡିରେ ମିଶିବେ, ସେ ନେଇ ସ୍ପଷ୍ଟ ହୋଇନାହିଁ। ତେବେ ୨୮ରୁ ୩୦ ତାରିଖ ଭିତରେ ସେ ବିଜେଡିରେ ଯୋଗ ଦେବେ। ଯଦି ୨୮ ବା ୨୯ରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ପାଇଁ ନବରଙ୍ଗପୁର ଆସିବେ, ତା’ହେଲେ ସେହି କାର୍ଯ୍ୟକ୍ରମରେ ପ୍ରଦୀପ ବିଜେଡିରେ ମିଶିବେ। ନହେଲେ ସେ ସମର୍ଥକଙ୍କ ସହିତ ଭୁବନେଶ୍ୱର ଆସି ବିଜେଡିରେ ମିଶିବେ।
ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବିଜେଡି ରାଜ୍ୟରେ ସ୍ଥିର ସରକାର ଦେବାରେ ସଫଳ ହୋଇଛି। ପ୍ରତି ନିର୍ବାଚନରେ ସଂଖ୍ୟା ବୃଦ୍ଧି କରି ଦେଶରେ ଇତିହାସ ରଚିଛି। ନବରଙ୍ଗପୁର ସମେତ ଅବିଭକ୍ତ କୋରାପୁଟର ବିକାଶ ପାଇଁ ସେମାନେ ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବେ ବୋଲି ପ୍ରଦୀପ କହିଛନ୍ତି।
ପ୍ରଦୀପ କହିଛନ୍ତି, ବର୍ତ୍ତମାନ କଂଗ୍ରେସ ସହ ପାଦ ମିଶାଇ ଚାଲିବା ଅସମ୍ଭବ। କଂଗ୍ରେସରେ ରହି ଅବିଭକ୍ତ କୋରାପୁଟର ବିକାଶ କରି ହେବ ନାହିଁ। ଆଗାମୀ ଦିନରେ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିପାରିବ କି ନାହିଁ, ସେ ନେଇ ମଧ୍ୟ ସନ୍ଦେହ ରହିଛି ବୋଲି ସେ କହିଛନ୍ତି।
ଦୁଇ ଦିନ ତଳେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ର ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଥିଲେ। ସାଂଗଠନିକ ସ୍ତରରେ କଂଗ୍ରେସ ଦୁର୍ବଳ ହୋଇଯାଇଥିବା ସେ ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଥିଲେ। କଂଗ୍ରେସରେ ରହି ଆଉ ଲୋକଙ୍କ ସେବା କରିବା ସମ୍ଭବ ନୁହେଁ ବୋଲି ସେ ଉଲ୍ଲେଖ କରିବା ସହିତ ଅତ୍ୟନ୍ତ ଦୁଃଖ ଓ କଷ୍ଟର ସହିତ ଦଳ ଛାଡ଼ୁଥିବା ଲେଖିଥିଲେ।