<h3>୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ବାହାରି ସାରିବା ପରେ ବିଜେପି ସର୍ବ ବହୁମତରେ ବିଜୟ ଲାଭ କରିଛି ଯେଉଁଥିପାଇଁ ରାଜ୍ୟ ବିଜେପି ଶିବିରରେ ଖୁସିର ଲହରି ଖେଳିଯାଇଥିବା ବେଳେ ଅନ୍ୟପଟେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀଙ୍କ ଦ୍ୱାରା ହୋଇଛି ଖଣ୍ଡା ମାଡ଼ । ସୂଚନାଯୋଗ୍ୟ, ରାଜନଗର ବ୍ଲକ ରାଜନଗର ଦୁର୍ଗା ମଣ୍ଡପ ହରିଜନ ସାହିର କଳ୍ପତରୁ ମଲ୍ଲିକ ବିଜେପିକୁ ଭୋଟ ଦେବାରୁ ବଡ଼ ଭାଇ ସର୍ବେଶ୍ୱର ମଲ୍ଲିକ ଓ କଳ୍ପତରୁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ଯେଉଁଥିରେ ବଡ଼ ଭାଇ ସାନ ଭାଇଙ୍କୁ ଖଣ୍ଡା ମାଡ଼ କରିଛନ୍ତି | ଯାହାର ଅଭିଯୋଗ ରାଜନଗର ଥାନାରେ କଳ୍ପତରୁଙ୍କ ଝିଅ ନମିତା ମଲ୍ଲିକ କରିଛନ୍ତି | ନମିତାଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ଧରି ସର୍ବେଶ୍ୱର ମଲ୍ଲିକ ନିଜ ଘରେ ଚୋରା ମଦ ବିକ୍ରି କରୁଥିଲେ | ସେହି ମଦ ପିଇବା ପାଇଁ ବିଭିନ୍ନ ଅସାମାଜିକ ଯୁବକ ସେଠାକୁ ଯାଉଥିଲେ ଏବଂ ସେହି ଅସାମାଜିକ ଯୁବକମାନେ ନମିତା ଓ ତାଙ୍କ ଭଉଣୀଙ୍କୁ ଅଶ୍ଳୀଳ ଭାଷା ସହିତ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରୁଥିଲେ| ଯେଉଁଥିପାଇଁ କଳ୍ପତରୁଙ୍କ ପରିବାର ସରପଞ୍ଚ ସୁଶ୍ରୀ ସଙ୍ଗୀତା ମହାପାତ୍ର ଓ ତାଙ୍କ ସ୍ଵାମୀ ମଣ୍ଟୁ ମହାପାତ୍ରଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ହେଲେ ସେ ଏହି ସମସ୍ୟାକୁ ଧ୍ୟାନ ଦେଲେ ନାହିଁ। ଫଳରେ ଏହି ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଲା ଯାହାର ପ୍ରଭାବ ନିର୍ବାଚନ ଉପରେ ପଡିଲା। କଳ୍ପତରୁ ମଲ୍ଲିକ ଏବଂ ତାଙ୍କ ପରିବାର ବିଜେପିକୁ ଭୋଟ ଦେଇଥିଲେ ଯେଉଁଟା ତାଙ୍କ ବଡ଼ ଭାଇ ସର୍ବେଶ୍ୱରଙ୍କୁ ଭଲ ଲାଗିନଥିଲା । ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ବାହିରିବା ପରେ ସେହି ଅସନ୍ତୋଷ ଗୋଟିଏ ଭୟଙ୍କର ପରିଣାମ ସୃଷ୍ଟି କରିଥିଲା | ଗତକାଲି ସକାଳ ସମୟରେ କଳ୍ପତରୁ ଏବଂ ବଡ଼ ଭାଇ ସର୍ବେଶ୍ୱରଙ୍କ ଭିତରେ ଏହି ଅସନ୍ତୋଷ ଉଗ୍ରରୂପ ନେଇଥିଲା | ଫଳରେ କଳ୍ପତରୁ ଘରୁ ନିଜ ଅଟୋ ପାଖକୁ ଆସିବା ବେଳେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ବଡ଼ ଭାଇ ସର୍ବେଶ୍ୱର ମଲ୍ଲିକ ଓ ତାଙ୍କ ପୁଅ ସିଦ୍ଧାର୍ଥ ମଲ୍ଲିକ ପରେ କଳ୍ପତରୁଙ୍କ ସ୍ତ୍ରୀ ମିନା ମଲ୍ଲିକ ନିଜ ସ୍ଵାମୀ ରକ୍ଷା କରିବାକୁ ଆସିଥିବାବେଳେ ତାଙ୍କ ଉପରେ ମଧ୍ୟ ଆଘାତ ହୋଇଥିଲା | ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ କଳ୍ପତରୁ ଓ ତାଙ୍କ ପରିବାର ରାଜନଗର ଥାନାରେ ପହଞ୍ଚିଥିଲେ | ସେଠାରେ ପୋଲିସ ଅଧିକାରୀ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଦେଖି ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ଓ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି |</h3>