ଇଂରାଜୀ ନୂଆ ବର୍ଷ ଆସିଲେ ଛକ ବଜାର ଓ ରାସ୍ତା କଡରେ ବଡ଼ ବଡ଼ ବ୍ୟାନର ବା ଫ୍ଲେକ୍ସ ମରାଯାଏ ଏବଂ ଏହି ବ୍ୟାନରରୁ ଜଣାପଡେ ରାଜନୈତିକ ନେତା, କର୍ମୀ ତଥାକଥିତ ସମାଜସେବୀଓ ଶ୍ରମିକ ନେତାଙ୍କ ପରିଚୟ ଓ ପ୍ରଭାବ। ଏହି ପରମ୍ପରା ଗାଁରୁ ସହର ସବୁଠାରେ ଦେଖାଯାଏ। ଏହି କ୍ରମରେ ପାରାଦୀପ ପୌରାଞ୍ଚଳରେ ମରାଯାଇଛି ଶତାଧିକ ବ୍ୟାନର।ଏହି ବ୍ୟାନର ମରା ପ୍ରତିଯୋଗିତାରେ ସର୍ବାଗ୍ରେ ଅଛି ବିଜେଡି। ବିଜେଡି ନେତାଙ୍କ ପ୍ରଭାବ ସମଗ୍ର ପୌରାଞ୍ଚଳରେ ଦେଖିବାକୁ ମିଳିଛି।କିନ୍ତୁ ବିଜେପିର ଦୁଇଟି ଗୋଷ୍ଠୀରେ ବ୍ୟାନର ମରାଯାଇଛି। ଗୋଟିଏ ଗୋଷ୍ଠୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନ୍ୟ ଗୋଷ୍ଠୀ ଅପରାଜିତା ଷଡ଼ଙ୍ଗୀଙ୍କ ୟୁଥ ଫର ଆକ୍ସନ । ଏହି ବ୍ୟାନର ପ୍ରମାଣିତ କରୁଛି ଯେ ପାରାଦୀପ ପୌରପାଳିକା ନିର୍ବାଚନରେ ଆଜି ପର୍ଯ୍ୟନ୍ତ ଖାତା ଖୋଲି ପାରି ନ ଥିବା ବିଜେପି ଆସନ୍ତା ପୌର ନିର୍ବାଚନରେ ଦୁଇ ଗୋଷ୍ଠୀରେ ଲଢ଼ିବେ। ଯଦିଓ ୨୦୧୫ ପୌର ନିର୍ବାଚନରେ ବିଜେପି ୭ନମ୍ବର ୱାର୍ଡ (ପିପିଏଲ ଟାଉନ୍ସିପ )ରେ ବିଜେପି କାଉନସିଲର ଭାବେ ଅନିଲ କୁମାର ବେହେରା ଜିତିଥିଲେ ମାତ୍ର ୬ମାସ ପରେ ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ। ସେହିପରି କଂଗ୍ରେସର ଦୁଇ କାଉନସିଲର ଜିତିଥିଲେ ସେମାନଙ୍କ ମଧ୍ୟରୁ ୧୪ ନମ୍ବର ୱାର୍ଡର କାଉନସିଲର ମନୋଜ କୁମାର ବେହେରା କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ।
ତେଣୁ ୧୯ ୱାର୍ଡ ବିଶିଷ୍ଟ ପାରାଦୀପ ପୌରପାଳିକା ରେ ବିଜେଡିର ୧୮ ଟି ଜଣ କାଉନସିଲର ଥିଲେ। କିନ୍ତୁ ଜାତୀୟ ଦଳ କଂଗ୍ରେସର ଦଳର ଜଣେ ମହିଳା କାଉନସିଲର ଥିଲେ ସେ ମହାଶୟା ଙ୍କର ଅକାଳ ବିୟୋଗ ଘଟିଛି, ତାଙ୍କ ସ୍ୱାମୀ କେଦାର ନାଥ ଜେନା ପତ୍ନୀଙ୍କ ଅକାଳ ବିୟୋଗରେ ମ୍ରିୟମାଣ ହୋଇ ସକ୍ରିୟ ରାଜନୀତିରୁ ବିରତ ଅଛନ୍ତି। ତେଣୁ ତାଙ୍କର ବ୍ୟାନର ଦେଖବାକୁ ମିଳିଲା ନାହିଁ। କଂଗ୍ରେସର କୌଣସି ଗୋଟିଏ ବ୍ୟାନର ଦେଖିବାକୁ ମିଳିଲା ନାହିଁ। ତେଣୁ ପ୍ରାକ ପୌର ନିର୍ବାଚନ ଦୃଶ୍ୟପଟରେ ପାରାଦୀପର ରାଜନୈତିକ ଦଳ ମଧ୍ୟରେ ବିଜେପି ଓ ବିଜେଡି ଦୃଶ୍ୟମାନ ହେଲାବେଳେ ସର୍ଵ ପୁରାତନ ଦଳ କଂଗ୍ରେସ ତାର ସତ୍ତା ହରାଇ ବସିଛି। ପାରାଦୀପ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନେତୃତ୍ୱ ବିହୀନ ମୁରବୀ ଶୂନ୍ୟ ହୋଇପଡ଼ିଛି। ପାରାଦୀପ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନେତା ବାପି ସର୍ଖେଲ ଦୀର୍ଘ ଏକ ବର୍ଷ ଧରି କଂଗ୍ରେସ ସାଙ୍ଗଠନିକ କାର୍ଯ୍ୟକ୍ରମଠାରୁ ଦୂରେଇ ରହିଛନ୍ତି। ଏପରିକି ସେ ଅନ୍ୟ ଦଳରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି କିନ୍ତୁ ସେ ନୀତିଗତ ଭାବେ କଂଗ୍ରେସରୁ ଇସ୍ତଫା ଦେଇ ନାହାନ୍ତି କିମ୍ବା ଅନ୍ୟ ଦଳରେ ଯୋଗ ଦେଇ ନାହାନ୍ତି। କିନ୍ତୁ ତାଙ୍କ ଶ୍ରମିକ ସଂଗଠନ ପକ୍ଷରୁ ଢ଼େର ବ୍ୟାନର ମରାଯାଇ ୨୦୨୨ ନୂଆ ବର୍ଷ କୁ ସ୍ୱାଗତ କରାଯାଇଛି।
ବିଜେପି ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସମ୍ପଦ ସ୍ୱାଇଁଙ୍କ ଫଟୋ ଥିବା ବ୍ୟାନର ମରାଯାଇଛି । କିନ୍ତୁ ନିକଟରେ ବିଜେପି ଜିଲ୍ଲା ଉପ ସଭାପତି ପଦରୁ କୌଣସି ସୂଚନା ନଦେଇ ଦଳ କନ୍ଦଳ ଆଡରେ ବିତାଡ଼ିତ କରାଯାଇଥିବା ତଥା ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟର ଅଧ୍ୟକ୍ଷ ଅଜିତ କୁମାର ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫଟୋ ଥିବା ବ୍ୟାନର ମାରିଛନ୍ତି। ତାଙ୍କ ସହିତ ଆଡଭୋକେଟ କୈଳାସ ଚନ୍ଦ୍ର ସାହୁ, ୟୁଥ ଫର ଆକ୍ସନର ପାରାଦୀପ ଶାଖାର ସଭାପତି ତୋଫାନ ସେନାପତି ଏବଂ ଭରତ ଚନ୍ଦ୍ର ପଣ୍ଡା ତାଙ୍କ ନୂଆବର୍ଷ ବ୍ୟାନରରେ କେବଳ ଅପରାଜିତାଙ୍କ ଫଟୋ ଥିବା ବ୍ୟାନର ମାରିଛନ୍ତି । ଏହି ବ୍ୟାନର ବିଜେପିର ଗୋଷ୍ଠୀ ବିବାଦକୁ ପଦାରେ ପକାଇ ଦେଇଛି।
ଶୁଣିବାକୁ ମିଳୁଛି ଯେ ଆସନ୍ତା ପୌର ନିର୍ବାଚନରେ ବିଜେପି ବିଜେପି ସହିତ ଲଢ଼ିବ। କାରଣ ଏହି ପରମ୍ପରା କଂଗ୍ରେସର, ସେମାନେ ୨୦୦୦ ମସିହାରୁ ନିଜ ଦଳ ଭିତରେ ଲଢେ଼ଇ କରୁଛନ୍ତି। ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ ପୂର୍ବତନ କଂଗ୍ରେସ ନେତା ସତ୍ୟବ୍ରତ ମହାପାତ୍ର ବିଜେପିର ଜିଲ୍ଲା ସଭାପତି ଅଛନ୍ତି ଏବଂ ପାରାଦୀପର ପୂର୍ବତନ କଂଗ୍ରେସ ସମର୍ଥକ ନିର୍ମଳ ସ୍ୱାଇଁ ଓ ତାଙ୍କ ପୁଅ ସମ୍ପଦ ସ୍ୱାଇଁ ପାରାଦୀପ ବିଜେପିର ମୁଖ୍ୟ ହୋଇଛନ୍ତି। ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ଗତ ୨୦୧୯ ନିର୍ବାଚନରେ ପାରାଦୀପର ବିଧାୟକ ପ୍ରାର୍ଥୀ ହୋଇଥିଲେ। ସେ ବର୍ତ୍ତମାନ ପାରାଦୀପ ବିଜେପିର ମୁଣ୍ଡିଆଳ ଅଛନ୍ତି। ତେଣୁ କଂଗ୍ରେସ ସଂସ୍କୃତି ଅନୁଯାୟୀ କଂଗ୍ରେସରୁ ବିଜେପି ହୋଇଥିବା ନେତା ନିଜ ଭିତରେ ଲଢ଼େଇ କରିବା ଗୁଣ ଛାଡି ପାରିନାହାନ୍ତି। ତେଣୁ ସେମାନେ ନିଜ ନିଜ ଭିତରେ ଲଢେ଼ଇ ଆରମ୍ଭ କରିଛନ୍ତି। ମୁଖ୍ୟତଃ ପାରାଦୀପରେ ଥିବା ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟର ବାର୍ଷିକ ଉତ୍ସବରେ ଅପରାଜିତାଙ୍କୁ ଅତିଥି କରିବା ନେଇ ପାରାଦୀପ ବିଜେପି ଦୁଇ ଭାଗରେ ବିଭକ୍ତ ହୋଇଛି । ଏବଂ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଜଗତସିଂହପୁର ଜିଲ୍ଲାର ବିଜେପି ଉପସଭାପତି ଅଜିତ ଦାସଙ୍କୁ ସମ୍ପଦ ସ୍ଵାଇଁଙ୍କ କଂଗ୍ରେସ ସମର୍ଥକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥାଇ ବିଜେପି ଗୋଷ୍ଠୀର ନେତାମାନଙ୍କ ଦ୍ୱାରା ବିଭିନ୍ନ ମିଛ ଅଭିଯୋଗ କରାଯାଇ ଥାନାରେ ଏତଲା ଦିଆଯାଇଛି । ଅପରାଜିତାଙ୍କର ପାରାଦୀପ ଗସ୍ତକୁ ବିଫଳ କରିବା ପାଇଁ ସମ୍ପଦ ସ୍ୱାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ଏବଂ ସେମାନଙ୍କ ସମର୍ଥକମାନେ ଅପରାଜିତାଙ୍କର ସଭା ଓ ଶୋଭାଯାତ୍ରାରେ ଯୋଗ ନ ଦେବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ। ଅଜିତ ଦାସଙ୍କୁ ଗିରଫ କରିବା ପାଇଁ ବହୁ ଉପାୟ ଅବଲମ୍ବନ କରାଯାଇଥିଲା। ଏପରିକି ଅପରାଜିତାଙ୍କ ପାରାଦୀପ ଗସ୍ତ ପୂର୍ବରୁ ଜରୁରୀକାଳୀନ ଭିତ୍ତିରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ପାରାଦୀପ ଅଣାଯାଇ ଏକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ବୋଲି ପ୍ରଚାର କରାଯାଥିଲା। ରାଜ୍ୟ ସଭାପତିଙ୍କ ସହିତ ସମ୍ପଦଙ୍କ ସମ୍ପର୍କର ଘନିଷ୍ଠତା ପ୍ରମାଣ କରିବାକୁ ଏପରି ପ୍ରୋଗ୍ରାମ କରାଯାଥିଲା ବୋଲି କୁହାଯାଉଛି ।
ଅପରପକ୍ଷରେ ଅଜିତ ଦାସ ସମ୍ପଦଙ୍କ ସମର୍ଥକମାନଙ୍କୁ ଟ୍ରଷ୍ଟରୁ ବହିଷ୍କାର କରି ଅପରାଜିତାଙ୍କ ସମର୍ଥକମାନଙ୍କୁ ଟ୍ରଷ୍ଟର ସଭ୍ୟ ଭାବେ ଗ୍ରହଣ କରିଥିଲେ । ତେଣୁ ଆଗାମୀ ପୌର ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ବିଜେପି ବିଭାଜିତ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି। କାରଣ ୧୯ ୱାର୍ଡରେ କାଉନସିଲର ପ୍ରାର୍ଥୀ ଚୟନ କିଏ କରିବ ? କାହା ସମର୍ଥିତ ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ଆସିବେ ? ସେମାନଙ୍କ ମଧ୍ୟରେ ଉଭୟ ଧର୍ମେନ୍ଦ୍ର ଓ ଅପରାଜିତାଙ୍କ ସମର୍ଥକ ମଧ୍ୟରେ ୱାର୍ଡ ଭାଗ ବଣ୍ଟା କିଏ କରିବ ? ଏହି ଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରାଜିତାଙ୍କ ପାରାଦୀପ ଗସ୍ତକୁ ନେଇ ବିଜେପିର ଯେଉଁ ବିବାଦ ସୃଷ୍ଟି ହୋଇଛି ତାହା ନିକଟରେ ସମାଧାନ ହେବାର ସମ୍ଭାବନା ଦେଖାଯାଉ ନାହିଁ। ତେଣୁ ପାରାଦୀପ ପୌର ନିର୍ବାଚନରେ ବିଜେପି ବିଜେପି ସହିତ ଲଢ଼ିବ ବୋଲି କୁହାଯାଉଛି।
ତେଣୁ ପାରାଦୀପର ପ୍ରାକ ପୌର ନିର୍ବାଚନ ଦୃଶ୍ୟପଟରେ କଂଗ୍ରେସ ବିଲୁପ୍ତ ହୋଇଛି। ନିର୍ବାଚନ ପୂର୍ବରୁ ବିଜେପି ବିଭକ୍ତ ହୋଇ ଗୋଷ୍ଠୀକନ୍ଦଳ ରାଜନୀତିରେ ବ୍ୟସ୍ତ ଅଛି।ଅପରପକ୍ଷରେ ଶାସକ ଦଳ ବିଜେଡି ସଶକ୍ତ ହେଉଛି ବୋଲି ପ୍ରଚାର ହେଉଛି। ତେବେ ଆଗକୁ ଦେଖିବାକୁ ବାକି ରହିଲା ପାରାଦ୍ୱୀପ ପୌରନିର୍ବାଚନ ଓ ରାଜନୀତି ପାଣିପାଗ ଦିଗ କେଉଁବାଟକୁ ଯାଉଛି।