ମାଲକାନଗିରି ଜିଲ୍ଲା ବିଶେଷ କରି ମାଓବାଦୀ କାର୍ଯ୍ୟକଳାପ ପାଇଁ ଜଣାଶୁଣା ।ଗତ କିଛି ଦିନ ହେବ ମାଓବାଦୀଙ୍କ ଗତିବିଧି ସାମାନ୍ୟ ବଢିଯାଇଥିବା ବେଳେ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏସପି ନିତେଶ ଓ୍ବାଧବାନୀଙ୍କ ନିର୍ଦ୍ଦେଶକ୍ରମେ ବିଏସଏଫ , ଏସଓଜି ଏବଂ ଡିଭିଏଫ ଯବାନଙ୍କ ମିଳିତ କୁମ୍ବିଂ ଅପରେସନ ଚାଲିଛି। କୁମ୍ବିଂ ଅପରେସନ ବେଳେ ମାଲକାନଗିରି ପୋଲିସକୁ ମିଳିଛି ଏକ ବଡ ସଫଳତା।
ଏସଓଜି ଏବଂ ଡିଭିଏଫ ଯବାନଙ୍କ ମିଳିତ ଦଳ ସ୍ବାଭିମାନ ଅଞ୍ଚଳର ଯୋଡାଆମ୍ବ ଥାନା ଅନ୍ତର୍ଗତ ଆନ୍ଧ୍ର ଓଡିଶା ସୀମାନ୍ତ ଯନ୍ତ୍ରୀ ପଞ୍ଚାୟତ ନାଡମେଞ୍ଜରୀ ଗାଁ ନିକଟସ୍ଥ ଜଙ୍ଗଲରୁ ବିପୁଳ ପରିମାଣର ଆପତ୍ତିଜନକ ମାଓ ଡମ୍ପ ସହ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି।ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଦେଶୀ ବନ୍ଧୁକ , କୋର୍ଡେକ୍ସ ତାର , ପ୍ରେସର ବୋମା , ଡେଟୋନେଟର , ଭଙ୍ଗା ଦେଶୀ ପିଷ୍ଟଲ , ଟିଫିନ ଆଇଇଡି ସାମଗ୍ରୀ , ଅନ୍ୟାନ୍ୟ ଯନ୍ତ୍ରାଂଶ ସହ ବିପୁଳ ପରିମାଣର ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ସୂଚନାନୁଯାୟୀ ମାଓବାଦୀ ସାମଗ୍ରୀ ଏବଂ ବିସ୍ଫୋରକ ଜବତକୁ ମାଲକାନଗିରି ପୁଲିସ ଏକ ବଡ ସଫଳତା ଭାବେ ଗ୍ରହଣ କରୁଛି। ପ୍ରତିବନ୍ଧିତ ମାଓ ସଂଗଠନର ଏହି ଅଞ୍ଚଳରେ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପକୁ ପୁଲିସ ଏକ ଝଟକା ଦେଇଥିବା ବେଳେ ଉଦ୍ଧାର ହୋଇଥିବା ବିସ୍ଫୋଟକ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆନ୍ଧ୍ର ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟି କ୍ୟାର୍ଡର ମାଓବାଦୀଙ୍କ ହୋଇପାରେ ବୋଲି ଏସପି ଶ୍ରୀଓ୍ବାଧବାନୀ ସୂଚନା ଦେବା ସହ ମାଲକାନଗିରି ପୁଲିସ ସର୍ବଦା ଜନସାଧାରଣଙ୍କ ସୁରକ୍ଷା ପାଇଁ ସଜାଗ ରହିଛି ବୋଲି କହିଥିଲେ।