ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏହି ଘଟଣାକୁ ନେଇ ପଞ୍ଜାବ ସରକାର ଓ ବିଜେପି ମୁହାଁମୁହିଁ ହୋଇଛନ୍ତି ।ଗୋଟିଏ ପଟେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚି ଥିବାବେଳେ ଅନ୍ୟପଟେ ପଞ୍ଜାବର ଚନ୍ନି ସରକାର ଏହି ମାମଲାର ଯାଞ୍ଚ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି। ବରିଷ୍ଠ ଆଇନଜୀବୀ ମନିନ୍ଦିର ସିଂ ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି । ଆବେଦନରେ କୁହାଯାଇଛି, ସୁରକ୍ଷାରେ ଏଭଳି ତ୍ରୁଟି ଗ୍ରହଣ ଯୋଗ୍ୟ ନୁହେଁ । ଏଥିପାଇଁ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଉ ।ପଞ୍ଜାବ ସରକାରଙ୍କୁ ବି ଉଚିତ ନିର୍ଦ୍ଦେଶ ଦିଆଯାଉ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ.ଭି ରମଣଙ୍କ ନିକଟରେ ଉଲ୍ଲେଖ କରାଯାଇଛି। ସୁପ୍ରିମକୋର୍ଟରେ ଆସନ୍ତାକାଲି ଏହାର ଶୁଣାଣି ହୋଇପାରେ ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିରୋଜପୁର ଗସ୍ତ ସମୟରେ ହୋଇଥିବା ଘଟଣାର ତଦନ୍ତ ପାଇଁ ପଞ୍ଜାବ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ଅବସରପ୍ରାପ୍ତ ବିଚାରପତି ମେହେତାବ ସିଂ ଗିଲ, ମୁଖ୍ୟ ସଚିବ (ଗୃହ ବିଭାଗ) ଏବଂ ଜଷ୍ଟିସ ଅନୁରାଗ ବର୍ମା ରହିବେ। କମିଟି ଏହାର ରିପୋର୍ଟ 3 ଦିନ ମଧ୍ୟରେ ଦାଖଲ କରିବ |
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଗମ୍ଭୀର ତ୍ରୁଟିକୁ ନେଇ ବିଜେପିର ନେତାମାନେ ଗୁରୁବାର ପଞ୍ଜାବର ରାଜ୍ୟପାଳଙ୍କୁ ଭେଟି ଗୃହମନ୍ତ୍ରୀ ତଥା ଡିଜିପିଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ, ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ କାର କେଡ଼ କେଉଁଠିକୁ ଯିବ ସେ ସମ୍ପର୍କରେ କେହି ଜାଣି ନଥିବା ବେଳେ କେବଳ ସୁରକ୍ଷା ବାହିନୀ ଏହା ବିଷୟରେ ଜାଣିଥିଲେ ତେବେ ଫ୍ଲାଏ ଓଭରରେ ଲୋକମାନେ କ’ଣ କରୁଥିଲେ?
ଗତକାଲି ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଗମ୍ଭୀର ତ୍ରୁଟି ଦେଖାଦେଇଥିଲା । ମୋଦିଙ୍କ ଗାଡି ଫ୍ଲାଏଓଭରରେ ପ୍ରାୟ ୨୦ ମିନିଟ ଅଟକିଯାଇଥିଲା । ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ନିଜ ଜୀବନ ପ୍ରତି ବିପଦ ଦର୍ଶାଇଥିଲେ । ପ୍ଲାଇଓଭରରେ ଅଟକିବା ପରେ ବିନା ରାଲି କରି ଦିଲ୍ଲୀ ଫେରିଆସିଥିଲେ ପ୍ରଧାନମନ୍ତ୍ରୀ । ବିଜେପି ନେତା ଏହି ଘଟଣା ପାଇଁ ପଂଜାବର ଚନ୍ନି ସରକାରଙ୍କୁ ଦାୟୀ କରିଥିଲେ ।