ସୁପ୍ରିମକୋର୍ଟ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତକାଳୀନ ସୁରକ୍ଷାଗତ ତ୍ରୁଟି ମାମଲାର ଶୁଣାଣି କରି ୫ ଜଣିଆ କମିଟି ଗଠନ କରିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟର ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମଲହୋତ୍ରାଙ୍କ ନେତୃତ୍ବରେ ଏହି କମିଟି ଗଠନ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଏନ.ଭି ରମଣ, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ହିମା କୋହଲିଙ୍କ ଏକ ବେଞ୍ଚ ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି।
ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରା, ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସିର ଆଇଜି, ଚଣ୍ଡିଗଡ଼ର ଡିଜିପି, ପଞ୍ଜାବର ଏଡିଜିପି (ସୁରକ୍ଷା) ଏବଂ ‘ପଞ୍ଜାବ ଓ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର୍ ଜେନେରାଲ୍ଙ୍କୁ ଉକ୍ତ ତଦନ୍ତ କମିଟିର ସଦ୍ମାସ୍ୟ ଭାବେ ନିଯୁକ୍ତ କରାଯାଇଛି |
ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଏହି ମାମଲାର ସମସ୍ତ ରେକର୍ଡକୁ କମିଟିର ଅଧ୍ୟକ୍ଷ ଇନ୍ଦୁ ମାଲହୋତ୍ରାଙ୍କୁ ହସ୍ତାନ୍ତର କରିବା ଉଚିତ୍। ଏହି କମିଟି ଯଥାସମ୍ଭବ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ପ୍ରଧାନ ବିଚାରପତି ଏନ୍.ଭି. ରମଣ କହିଛନ୍ତି। | ଏହି କମିଟି ସୁରକ୍ଷାଗତ ତ୍ରୁଟିର କାରଣ, ଏଥିପାଇଁ ଦାୟୀ ବ୍ୟକ୍ତିବିଶେଷ, ଭଵିଷ୍ୟତରେ ‘ଭିଭିଆଇପି’ମାନଙ୍କ କ୍ଷେତ୍ରରେ ଏଭଳି ସୁରକ୍ଷାଗତ ତ୍ରୁଟି ରୋକିବା ଲାଗି ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ତଦନ୍ତ କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି ।
ସୂଚନା ଯୋଗ୍ୟ , ଗତ ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗାଡି ଫିରୋଜପୁର ବ୍ରିଜରେ ୧୫ରୁ ୨୦ ମିନିଟ୍ ଅଟକି ରହିଥିଲା । ଏହା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସବୁଠାରୁ ବଡ଼ ତ୍ରୁଟି ବୋଲି କୁହାଯାଉଛି ।