ଆଜି ଜାମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ଏବଂ ରାଜ୍ୟ ମାନ୍ୟତା ହରାଇବା ପରେ ଏହା ହେଉଛି ମୋଦିଙ୍କ ପ୍ରଥମ ଗସ୍ତ | ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ମୋଦୀ ଜାମ୍ମୁ କାଶ୍ମୀରର ପାଲ୍ଲି ପଞ୍ଚାୟତରୁ ଦେଶବ୍ୟାପୀ ପଞ୍ଚାୟତଗୁଡ଼ିକୁ ଉଦବୋଧନ ଦେଇଛନ୍ତି । ଏହି ସମୟରେ ସେ କହିଥିଲେ ଯେ ଏହି ସ୍ଥାନ ମୋ ପାଇଁ ନୂଆ ନୁହେଁ। ଜାମ୍ମୁ କାଶ୍ମୀରର ବିକାଶକୁ ତ୍ୱରାନ୍ୱିତ କରିବା କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ବୋଲି ସେ କହିଛନ୍ତି।
ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ହଜାର କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ସାମ୍ବା ଜିଲ୍ଲାର ପାଲ୍ଲିରେ ୫୦୦ କିଲୋୱାଟରେ ଏକ ସୌର ଶକ୍ତି କେନ୍ଦ୍ରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହା ଦେଶରେ ପ୍ରଥମ କାର୍ବନ୍ ନ୍ୟୁଟ୍ରାଲ ପଞ୍ଚାୟତ ହେବ । ଏହା ସହ ପ୍ରଧାନମନ୍ତ୍ରୀ ବନିହାଲ କାଜିଗଣ୍ଡ ରାସ୍ତା ସୁଡଙ୍ଗର ଉଦଘାଟନ ମଧ୍ୟ କରିଛନ୍ତି । ୮ ଦଶମିକ ୪୫ କିଲୋମିଟର ଲମ୍ବର ଏହି ସୁଡଙ୍ଗ ଦ୍ୱାରା ବନିହାଲ ଏବଂ କାଜିଗଣ୍ଡ ରାସ୍ତା ମଧ୍ୟରେ ଥିବା ଦୂରତା ୧୬ କିଲୋମିଟର କମିବ । ଏହା ସହ ଯାତ୍ରା ସମୟ ମଧ୍ୟ ପ୍ରାୟ ଦେଢ ଘଣ୍ଟା ହ୍ରାସ ପାଇବ । କାଶ୍ମୀରର ଯୁବକମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ମୁଁ ଜାମ୍ମୁ କାଶ୍ମୀରର ଯୁବକମାନଙ୍କୁ କହିବାକୁ ଚାହେଁ ଯେ ଯେଉଁ ଅସୁବିଧାଗୁଡ଼ିକ ମଧ୍ୟରେ ଆପଣଙ୍କ ଜେଜେବାପା ଏବଂ ମାତାପିତାଙ୍କୁ ଜୀବନ ଅତିବାହିତ କରିବାକୁ ପଡିଛି ତୁମକୁ ଏପରି ଜୀବନ ବଞ୍ଚିବାକୁ ପଡିବ ନାହିଁ, ଏହା ମୁଁ ତୁମକୁ କରି ଦେଖାଇବି’ |