ଲଗାତାର ତେଲ ଦର ବୃଦ୍ଧି ପାଇବାରେ ଲାଗିଛି | ଅତିଷ୍ଠ ହୋଇଗଲେଣି ଜନସାଧାରଣ | ତେବେ ପେଟ୍ରୋଲ , ଡିଜେଲ ଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଦେଇଛନ୍ତି ଏକ ବଡ ବୟାନ । ରାଜ୍ୟଗୁଡିକ ତେଲ ଉପରୁ ଭାଟ କମାଇବା ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ୬ ମାସ ବିଳମ୍ବ ହେଉ ପଛେ ରାଜ୍ୟ ସରକାର ତେଲ ଉପରେ ଟିକସ ହ୍ରାସ କରିବା ଉଚିତ ବୋଲି କହିଛନ୍ତି ମୋଦି । ଭିଡିଓ କନଫରେନସିଂ ଜରିଆରେ କରୋନା ସମୀକ୍ଷା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ମୋଦି |
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅନେକ ରାଜ୍ୟ ପେଟ୍ରୋଲ , ଡିଜେଲ ଉପରେ ଟିକସ ହ୍ରାସ କରିଛନ୍ତି | କିନ୍ତୁ ଆଉ କେତେକ ରାଜ୍ୟରେ ପେଟ୍ରୋଲ , ଡିଜେଲ ଉପରେ ଟିକସ ହ୍ରାସ କରାଯାଇନି | ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି | ଗତ ନଭେମ୍ବର ମାସରେ ଯେଉଁ ରାଜ୍ୟମାନେ ଟ୍ୟାକ୍ସ ହ୍ରାସ କରିନାହାନ୍ତି ସେମାନେ ଏବେ କରିବା ଉଚିତ୍ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ କାହାକୁ ସମାଲୋଚନା କରୁ ନାହିଁ, କେବଳ ଆଲୋଚନା କରୁଛି। କୌଣସି କାରଣରୁ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ ଏବଂ ଝାରଖଣ୍ଡ ତେଲ ଉପରେ ଭାଟ୍ ହ୍ରାସ କରିନାହାଁନ୍ତି । ଏହି କାରଣରୁ ଏହାର ବୋଝ କେବଳ ନାଗରିକଙ୍କ ଉପରେ ପଡୁଛି । ଅର୍ଥନୈତିକ କ୍ଷେତ୍ରରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ । ଦେଶର ସ୍ୱାର୍ଥ ପାଇଁ ରାଜ୍ୟମାନେ ଏହି ପଦକ୍ଷେପ ନେବା ଉଚିତ୍ ବୋଲି ମୋଦି କହିଛନ୍ତି |