ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି | ଓଡ଼ିଶା ବିଜେପି ସାଂସଦଙ୍କୁ ନେଇ ବୈଠକ ଡ଼ାକିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ସଙ୍ଗଠନ କିଭଳି ସୁଦୃଢ଼ ହେବ ତାକୁ ନେଇ ମୋଦି ଦେଇଥିଲେ ପରାମର୍ଶ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ୭ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଆଜି ପ୍ରାତଃ ଭୋଜନ ନିମନ୍ତେ ସମସ୍ତ ସାଂସଦଙ୍କୁ ନିମନ୍ତ୍ରଣ କରିଥିଲେ | ଉଭୟ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ୯ ଜଣ ବିଜେପି ସାଂସଦଙ୍କ ସହ ପ୍ରାୟ ଘଣ୍ଟାଏ ଧରି ଆଲୋଚନା କରିଥିଲେ ମୋଦି | ଏଥିସହ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହା ସୌଜନ୍ୟ ମୂଳକ ସାକ୍ଷାତକାର ଥିଲା ବୋଲି ବୈଠକ ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ସାଂସଦ ବସନ୍ତ ପଣ୍ଡା | ରାଜନୈତିକ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି | କେବଳ ଓଡ଼ିଶା ନୁହେଁ ଦିଲ୍ଲୀ, ହରିୟାଣା, ଉତ୍ତରାଖଣ୍ଡର ସାଂସଦ ଓ ମନ୍ତ୍ରୀ ମାନେ ଉପସ୍ଥିତ ଥିଲେ। ସାମାଜିକ ନ୍ୟାୟ କେମିତି ସମସ୍ତଙ୍କ ପାଖରେ ପହଞ୍ଚିବ, ସାଂସଦମାନେ କେମିତି ଲୋକପ୍ରିୟତା ପାଇବେ ସେନେଇ ଟିପ୍ସ ମଧ୍ୟ ଦେଇଥିଲେ । କେନ୍ଦ୍ରର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା, ତୃଣମୂଳ ସ୍ଥରରେ ସଂଗଠନକୁ ସୁଦୃଢ କରିବା, ଲୋକଙ୍କ ସହ ମିଶି ବିଶ୍ୱାସଭାଜନ ହେବା ପାଇଁ ବିଜେପି ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ।