ଉତ୍ତରକାଶୀ ସିଲ୍କ୍ୟାରା ସୁଡ଼ଙ୍ଗ ଭିତରରେ ୧୫ ଦିନ ବିତିଲାଣି, ତଥାପି ଉଦ୍ଧାର ହୋଇପାରୁନାହାନ୍ତି ୪୧ ଶ୍ରମିକ । ଅଗର ମେସିନ୍ ଭାଙ୍ଗିବା ପରେ ଏବେ ପ୍ଲାନ୍ ‘ବି’ ଆରମ୍ଭ ହୋଇଛି । ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଭର୍ଟିକାଲ ଡ୍ରିଲିଂ ଆରମ୍ଭ କରିଛନ୍ତି ଉଦ୍ଧାରକାରୀ ଦଳ । ପାହାଡ଼ ଉପରୁ ଖୋଳା ଆରମ୍ଭ କରିଛନ୍ତି ରେସକ୍ୟୁ ଟିମ୍ । ଉପରପଟୁ ୨୦୦ମିମି. ବ୍ୟାସର ୮୬ମିଟର ଖୋଳିବା ହେବାପରେ ଉତ୍ତରକାଶୀ ଟନେଲ ଭିତରୁ ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଏହାଛଡ଼ା ଟନେଲ ଭିତରେ ଥିବା ଅମ୍ବେଲାକୁ ସୁରକ୍ଷା ଦେବା ପାଇଁ ମଧ୍ୟ କାମ ଚାଲୁ ରହିଛି ।
ଟନେଲରେ ୪୬ ମିଟର ଖୋଳା ସରିଥିବା ବେଳେ ଶ୍ରମିକଙ୍କୁ ନିକଟରେ ପହଞ୍ଚିବାକୁ ଆଉ ମାତ୍ର ୧୦ରୁ ୧୨ମିଟର ଡ୍ରିଲିଂ ବାକିଥ୍ଲା । ଖୋଳା ଶେଷ ହୋଇଥିଲେ ହୋଲ୍ ମଧ୍ୟରେ ୮୦୦ମି.ମି. ଷ୍ଟିଲ୍ ପାଇପ୍ ଭର୍ତି କରି ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥାନ୍ତି । ହେଲେ ରେସକ୍ୟୁ ଅପରେସନର ଅନ୍ତିମ ପର୍ଯ୍ୟାୟରେ ଆମେରିକୀୟ ଅଗର ମେସିନ ଭାଙ୍ଗିଯିବା ଫଳରେ ପ୍ଲାନ୍ –ଏ ବନ୍ଦ ହୋଇଛି । ଏ ନେଇ ଅନ୍ତର୍ଜାତୀୟ ସୁଡ଼ଙ୍ଗ ବିଶେଷଜ୍ଞ ଆର୍ତ୍ତୋଲ୍ଡ ଡିକ୍ସ କହିଛନ୍ତି, ଏବେ ଆଉ ଅଗର୍ ମେସିନ୍ରେ ସୁଡ଼ଙ୍ଗ ଖୋଳାଯିବ ନାହିଁ କି ଆଉ ଏକ ମେସିନ୍ ଆସିବ ନାହିଁ । ଶ୍ରମିକଙ୍କୁ ବାହାର କରିବା ଲାଗି ଦ୍ବିତୀୟ ବିକଳ୍ପ (ପ୍ଲାନ୍-ବି)ର ସହାୟତା ନିଆଯିବ ।
ପ୍ଲାନ୍-ବି ଅଧୀନ । ଡ୍ରିଲିଂ କରାଯିବ । ଏଥିଲାଗି ପ୍ରସ୍ତୁତି ଜାରି ରହିଛି । ଭର୍ଟିକାଲ୍ ଡ୍ରିଲିଂ ପାଇଁ ପୂର୍ବରୁ ଆର୍ଣ୍ଣୋଲ୍ଡ ଡିକ୍ସ ସ୍ଥାନ ଚିହ୍ନଟ କରିସାରିଛନ୍ତି । ଏହାପ ପରେ ବିଆର୍ଓ ଦ୍ବାରା ପାହାଡ଼ ଉପ ଉପରକୁ ୧୧୦୦ ମିଟର ସଡ଼କ ନିର୍ମାଣ କରାଯାଇଛି । ରବିବାର ସକାଳୁ ଉପର ପଟୁ ମେସିନ୍ ରଖାଯାଇ ଡ୍ରିଲିଂ ଆରମ୍ଭ ହୋଇଛି । ସତ୍ମ୍ବ୍ରିଜ୍ ବିଦ୍ୟୁତ୍ ନିଗମ ଲିମିଟେଡ୍ ଏହି ଅଭିଯାନର ଦାୟିତ୍ବ ନେଇଛି ।
ଭର୍ଟିକାଲ୍ ଡ୍ରିଲିଂରେ ଅନେକ ବିପଦ ରହିଛି । କାରଣ ତଳେ ସୁଡ଼ଙ୍ଗରେ ଶ୍ରମିକମାନେ ଫସିରହିଛନ୍ତି । ଉପରୁ ବଡ଼ ଗର୍ଭ ଖୋଳାଯାଇ ତଳକୁ ଯିବା ପାଇଁ ରାସ୍ତା ନିର୍ମାଣ ହେବ । ଏଠାରୁ ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ହେଲେ ୮୬ ମିଟର ଖୋଳିବାକୁ ପଡ଼ିବ । ଏହାଦ୍ବାରା ବିପୁଳ ମାତ୍ରାରେ ଅତଡ଼ା ଖସିବା ଆଶଙ୍କା ରହିଛି । ତେଣୁ ଏହି ଅଭିଯାନ ପାଇଁ କେତେ ସମୟ ଲାଗିବ, ତାହା ନେଇ କୌଣସି ସମୟସୀମା ନାହିଁ । ତଥାପି ଶ୍ରମିକଙ୍କ ଜୀବନ ବଞ୍ଚାଇବା ଲାଗି ଏହି ବିକଳ୍ପ ଆପଣାଇବାକୁ ଉଦ୍ଧାରକାରୀ ଦଳ ବାଧ୍ୟ ହୋଇଛନ୍ତି ।