ରୋଗ ଶଯ୍ୟାରେ ରୋଜଗାରିଆ ଭିନ୍ନକ୍ଷମ ପୁଅ । ବୟସ ମାତ୍ର ୨୭। ଶ୍ରବଣ ବାଧିତ ଭିନ୍ନକ୍ଷମ ପୁଅ ତପନ ନା କାହା କଥା ଶୁଣି ପାରୁଛନ୍ତି ନା ନିଜେ କିଛି କରିପାରୁଛନ୍ତି। ଯେଉଁ ବୟସରେ ପରିବାରର ଦାୟିତ୍ଵ ତୁଲାଇବା କଥା ସେହି ବୟସରେ ସେ ବଞ୍ଚୁଛନ୍ତି ଅନ୍ୟର ସାହାରାରେ। ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଡିଙ୍ଗର ଗ୍ରାମର ତପନ ମହାରଣାଙ୍କ କଥା। ଦୀର୍ଘ ୪ ମାସ ତଳେ ଦୁଇଟି ଯାକ କିଡନୀ ହରାଇ ଶଯ୍ୟାଶାୟୀ ହୋଇପଡିଛନ୍ତି ତପନ। ହେଲେ ଏବେ ଚିକିତ୍ସା ପାଇଁଁ ଅର୍ଥ ସାଜିଛି ବାଧକ। ଫଳରେ ତପନଙ୍କୁ ଭଲ କରିବା ପାଇଁଁ ସରକାରଙ୍କୁ ସାହାଯ୍ୟ ଭିକ୍ଷା କରିଛନ୍ତି ତାଙ୍କ ମା । ତାଙ୍କ ପରିବାର କହିଲେ ତପନ ଏବଂ ତାଙ୍କ ମା। ଦୀର୍ଘ ତିନି ବର୍ଷ ତଳେ ରମାମଣୀ ସ୍ୱାମୀଙ୍କୁ ହରାଇଥିଲେ । ହେଲେ ପୁଅର ମୁହଁ ଦେଖି ତାଙ୍କର ବାକି ଜୀବନ କଟିଯିବ ବୋଲି ଭାବିଥିଲେ ସେ । ହେଲେ ଦଇବ ସାଜିଲା ବଇରୀ। ତପନ ଏବେ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବାରୁ ସପ୍ତାହକୁ ଦୁଇଥର ଡାଇଲେସିସ ପାଇଁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଯିବାକୁ ପଡୁଛି। ପରିସ୍ଥିତି ଏପରି ଯେ ଭୁବନେଶ୍ୱର ଯିବାପାଇଁ ମଧ୍ୟ ତାଙ୍କ ପାଖେରେ ସମ୍ବଳ ନାହିଁ । ଯେଉଁଠାରେ ଦୁଇ ଓଳି ଦୁଇ ମୁଠା ଖାଇବା ଅସମ୍ଭବ ସେଠାରେ ଚିକିତ୍ସ। ପାଇଁ ଅର୍ଥ ଆସିବ ବା କେଉଁଠୁ ବୋଲି ତାଙ୍କ ମା ରମାମଣୀ କହିଛନ୍ତି ।ପୁଅର ଚିକିତ୍ସା ପାଇଁ ଯାହା ଥିଲା ସବୁ ବିକି ଭାଙ୍ଗି ଏବେ ପର ପାଖେ ହାତ ପତାଉଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ସ୍ଥାନୀୟ ବିଧାୟକ ତପନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି।ତପନଙ୍କ ଏଭଳି ପରିସ୍ଥିତି ସମ୍ପର୍କରେ ସରକାରୀ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଲୋଡିଛନ୍ତି ଗ୍ରାମବାସୀ ।