ବାତ୍ୟା ଫନି ଯିବାର 4 ବର୍ଷ ହେଲାଣି | କିନ୍ତୁ ଆଜି ଯାଏଁ ବି ଆଖିରୁ ଶୁଖିନି ଲୁହ। ଦଇବ ଦାଉ ସାଧିଲା ଭଳି ବାତ୍ୟା ସମୟରେ ଗୋଟିଏ ଲୁହା ରଡ଼ ଗୋଡ଼ ଉପରେ ଖସି ପଡିଲା | ଫଳରେ ଅଚଳ ହୋଇ ପଡ଼ିଛି ଦୁଇ ଗୋଡ଼। ଚାଲିବାକୁ ସମ୍ପୂର୍ଣ ଅସମର୍ଥ | ଘରର ରୋଜଗାରିଆ ପୁଅ ଏବେ ପଙ୍ଗୁ। ଘର ଚଳିବ କେମିତି ? ପରିବାର ଲୋକଙ୍କୁ ଘାରିଛି ଏହି ଚିନ୍ତା | ବାରମ୍ବାର ଗୁହାରି କରିବା ପରେ ସରକାରୀ ସହାୟତା ବି ମିଳିନି | ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗାଁରେ | ଗାଙ୍ଗିଯୋଡି ଗାଁର ମଙ୍ଗୁଳୁ ନାଏକଙ୍କ ବୟସ ୪୮ ବର୍ଷ। ଦୁଇ ପୁଅ, ସ୍ତ୍ରୀ ଓ ବୃଦ୍ଧ ପିତାମାତାଙ୍କୁ ନେଇ ତାଙ୍କ ପରିବାର। ଶ୍ରମିକ ଭାବରେ ଖଟି ପରିବାର ପ୍ରତିପୋଷଣ କରୁଥିଲେ। ଫନି ବାତ୍ୟା ସମୟରେ ସେ ରହୁଥିଲେ ଭୁବନେଶ୍ବରରେ । ବାତ୍ୟା ସମୟରେ ଗୋଟିଏ ଲୁହା ରଡ଼ ତାଙ୍କ ଗୋଡ଼ ଉପରେ ଖସି ପଡିବାରୁ ଦୁଇ ଗୋଡ଼ ଅଚଳ ହୋଇ ପଡ଼ିଛି। ପାଖରେ ଯାହା କିଛି ସଞ୍ଚିତ ଜମା ପୁଞ୍ଜି ଥିଲା ଖର୍ଚ୍ଚ କରି କ୍ଷତ ଭଲ କଲେ କିନ୍ତୁ ଆଉ ଚାଲିବାକୁ ସକ୍ଷମ ହେଲେ ନାହିଁ । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଏବେ ପଙ୍ଗୁ। ସରକାରୀ ସ୍ତରରୁ ଆଜି ପର୍ଯ୍ୟନ୍ତ କିଛି ସହାୟତା ମିଳି ନାହିଁ। ଦୁଃଖ କଥା କହିଲା ବେଳେ ଆଖିରୁ ତାଙ୍କର ଆପେ ଆପେ ଝରି ପଡୁଛି ଲୁହ। ପ୍ରଶାସନ ତରଫରୁ ଗୋଟିଏ ଟ୍ରାଇ ସାଇକେଲ ଓ ଦିବ୍ଯାଙ୍ଗ ଭତ୍ତା ଯୋଗାଇ ଦେଲେ ସେ କିଛି ମାତ୍ରାରେ ଆଶ୍ବସ୍ତ ହୁଅନ୍ତେ ବୋଲି ଗ୍ରାମବାସୀ ଦାବି କରିଛନ୍ତି |