ସରକାର ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି | ଭିର୍ଣ୍ଣକ୍ଷମଙ୍କ ପାଇଁ ମଧ୍ୟ ଅନେକ ସୁବିଧା ଯୋଗାଇ ଦେଉଛନ୍ତି ସରକାର | କିନ୍ତୁ ଗାଁ ଗହଳିରେ ରହୁଥିବା ଅନେକ ଭିର୍ଣ୍ଣକ୍ଷମ ଆଜି ବି ଯୋଜନାଠାରୁ କୋଷ ଦୂରରେ ଅଛନ୍ତି | ଆଜି ଆମେ ଏମିତି ଜଣେ ଭିର୍ଣ୍ଣକ୍ଷମ ବିଷୟରେ କହିବାକୁ ଯାଉଛୁ ଯିଏ ଚାଲିବାକୁ ସମ୍ପୂର୍ଣ ଅସମର୍ଥ | ହାତ ଗୋଡ ହୋଇପଡିଛି ଅକାମି | ନିଜ ଦୈନନ୍ଦିନ କାର୍ଯ୍ୟ ପାଇଁ ମଧ୍ୟ ସେ ଅନ୍ୟ ଉପରେ ନିର୍ଭରଶୀଳ | ୧୮ ବର୍ଷ ହେଲା ଘୁଷୁରି ଘୁଷୁରି ଚଳପ୍ରଚଳ କରୁଛନ୍ତି ଦଳିତ ମହିଳା ଜଣକ । ଦୀର୍ଘ ଦିନରୁ ସେ ଭିର୍ଣ୍ଣକ୍ଷମ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମିଳିପାରିନି ସରକାରୀ ସହାୟତା | ଭିନ୍ନକ୍ଷମ ପରିଚୟପତ୍ର ଅଛି, ହେଲେ ମିଳୁନି ସହାୟତା | ବାରମ୍ବାର ଦାବି ପରେ ବି ସରକାର ଶୁଣୁନାହାନ୍ତି ତାଙ୍କ ଗୁହାରି | ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କନ୍ତିଓକାଟେଣୀ ଗାଁରେ | କନ୍ତିଓକାଟେଣୀ ଗାଁର ଦଳିତ ସାହିରେ ରୁହନ୍ତି ହୁଣ୍ଡି ନାଏକ । ତାଙ୍କ ସ୍ବାମୀ ଜଣେ ଦିନ ମଜୁରୀଆ। ପୁଅର ଜନ୍ମ ପରଠାରୁ ଗୋଡ଼ ହାତ ଅକାମୀ ହୋଇଯାଇଛି ତାଙ୍କର । ସେବେଠାରୁ ସେ ଘୁଷୁରି ଘୁଷୁରି ଚଳପ୍ରଚଳ କରୁଛନ୍ତି । ଗାଧୋଇବାଠାରୁ ଆରମ୍ଭ କରି ଶୌଚ ପର୍ଯ୍ୟନ୍ତ ସମସ୍ତ ଦିନଚର୍ଯ୍ୟା ପାଇଁ ସେ ତାଙ୍କ ସ୍ବାମୀ ବା ପୁଅ ଉପରେ ନିର୍ଭର କରିଥାନ୍ତି। ଇନ୍ଦିରା ଆବାସ ମିଳି ନଥିବାରୁ ଝାଟିମାଟି ଘରେ ରହୁଛନ୍ତି | ଘରେ ପାଇଖାନା କି ଗାଧୁଆଘର ନଥିବାରୁ ଘୁଷୁରି ଘୁଷୁରି ନିତ୍ୟକର୍ମ ସାରିବାକୁ ଯାଉଛନ୍ତି ପୋଖରୀକୁ | ସରକାର ଯଦି ଏହି ଦିବ୍ଯାଙ୍ଗ ମହିଳାଙ୍କୁ ଗୋଟିଏ ଟ୍ରାଇ ସାଇକେଲ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଅନ୍ତେ ତାଙ୍କ ପରିବାର ଉପକୃତ ହୋଇପାରନ୍ତା ବୋଲି ଗ୍ରାମବାସୀ ଦାବି କରିଛନ୍ତି ।