ଚାନ୍ଦବାଲି ,୦୮.୦୪.୨୦୨୩ (ଏନଏନଏସ ଓଡ଼ିଆ) : ସମୟ ଯେ କାହାକୁ କେଉଁଠି ପହଞ୍ଚାଇ ଦିଏ ତାହା କହିବା ଅସମ୍ଭବ । ବିବାହ ପୂର୍ବରୁ ସୁନା ବୋହୂ ହେବାର ସ୍ୱପ୍ନ ଦେଖିଥିବା ଫୁଲମଣି ଏବେ ଦାଣ୍ଡର ଭିକାରୁଣୀ । ଫୁଲମଣି ସେଠୀର ଘର ଚାନ୍ଦବାଲି ବ୍ଲକର ଜଳେଶ୍ବରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଇଚ୍ଛାପୁର ଗ୍ରାମରେ । ବିବାହର ୩ବର୍ଷ ପରେ ସ୍ବାମୀ ଜଗବନ୍ଧୁ ଅନ୍ୟ ଜଣେ ଝିଅକୁ ନେଇ ଫେରାର ହୋଇଗଲା । ପୁଅର ଅନୁପସ୍ଥିତର ସୁଯୋଗ ନେଇ ଶଶୁର ବିପ୍ରବର ସେଠୀ ନିଜ ବୋହୂକୁ ଦୁଷ୍କର୍ମ କରିବାକୁ ବି ପଛାଇଲେ ନାହିଁ । ଏ ବିଷୟରେ ପୋଲିସରେ ଅଭିଯୋଗ ପରେ ଶଶୁର ଜେଲ ଗଲା । ଶଶୁର ଜେଲ ଗଲା ପରେ ଶାଶୁ ଆରମ୍ଭ କଲା ବୋହୂ ଉପରେ ଅତ୍ୟାଚାର । ବୋହୂକୁ ମାଡ଼ ମାରି ଘରୁ ବାହାର କରିଦେଲେ । ସେହି ଦିନ ଠାରୁ ଏହି ଭଙ୍ଗା ଘର ସାଜିଛି ଫୁଲମଣି ର ସାହାରା।,ଖରା ବର୍ଷା ,ଶୀତ କାକରରେ ବିତୁଛି ଜୀବନ । କୁନି ପୁଅର ହାତଧରି ଗାଁ ଦାଣ୍ଡରେ ଭିକ୍ଷା କରି ପେଟ ପୋଷୁଛନ୍ତି ଅସହାୟ ଫୁଲମଣି । ସରପଞ୍ଚ ପ୍ରଫୁଲ୍ଲ ବେହୁରା ଏବଂ ଗ୍ରାମବାସୀ ଫୁଲମଣିର ଦୁଃଖରେ ଦୁଖୀ ଥିଲେ ବି ବାଂଶଡା ପୋଲିସର ଟାଳଟୁଳ ନୀତି ଯୋଗୁଁ ଫୁଲମଣି ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ ମୁଣ୍ଡ ଗୁଞ୍ଜିବାକୁ ଘର ସାଙ୍ଗକୁ ପେଟକୁ ଦାନା ଯୋଗାଇ ଦେବାକୁ ଦାବି କରିଛନ୍ତି ଫୁଲମଣି ।
ରିପୋର୍ଟ-ଦେବକାନ୍ତ ମହାନ୍ତି, ଚାନ୍ଦବାଲି