ସାଧାରଣ ଜନତାଙ୍କ ଉପରେ ପୁଣି ମହଙ୍ଗା ମାଡ | ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରୁ ବାହାରୁ ଗ୍ରାହକଙ୍କ ଉପରେ ହୋଇଛି ଡବଲ ମହଙ୍ଗା ମାଡ଼ । ଆଜି ସକାଳୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ବଢିଛି ଘରୋଇ ଏଲ୍ପିଜି ସିଲିଣ୍ଡର ଦର ।
ଦୀର୍ଘ ୧୩୭ ଦିନ ପରେ ପେଟ୍ରୋଲ ଓ ଡିଜେଲ ଦରରେ ଲାଗିଛି ନିଆଁ । ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ମଙ୍ଗଳବାର ସକାଳୁ ନୂଆ ଦର ଲାଗୁ ହୋଇଛି। ଓଡିଶାରେ ପ୍ରେଟୋଲ ୮୫ ପଇସା ଓ ଡିଜେଲ ୮୬ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୮୧ ପଇସା ଥିବା ବେଳେ ୮୫ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୬୬ ପଇସା ହୋଇଛି | ସେହିପରି ଡିଜେଲ ଦର ଲିଟର ପିଛା ୯୧ ଟଙ୍କା ୬୨ ପଇସାରୁ ବୃଦ୍ଧି ପାଇ ୯୨ ଟଙ୍କା ୫୩ ପଇସାରେ ପହଞ୍ଚିଛି ।
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ ଏବେ ରୋଷେଇ ଘର ଉପରେ ହୋଇଛି ମହଙ୍ଗା ମାଡ | ଘରୋଇ ରନ୍ଧନ ଗ୍ୟାସ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ମଧ୍ୟ ବଢିଛି | ଏଲ୍ପିଜି ସିଲିଣ୍ଡର ମୂଲ୍ୟ ଏକାଥରେ ୫0 ଟଙ୍କାକୁ ବୃଦ୍ଧି ପାଇଛି | ଫଳରେ ଭୁବନେଶ୍ୱରରେ ଏଲ୍ପିଜି ଗ୍ୟାସ୍ ଦର ୯୨୬ ଟଙ୍କାରୁ ବୃଦ୍ଧି ପାଇ ୯୭୬ ଟଙ୍କା ହୋଇଛି । କମର୍ସିଆଲ ସିଲିଣ୍ଡର ଦର ବୃଦ୍ଧି ପାଇଥିଲେ ମଧ୍ୟ ଅକ୍ଟୋବର ୬ ତାରିଖରୁ ଘରୋଇ ସିଲିଣ୍ଡର ଦର ବୃଦ୍ଧି ପାଇନଥିଲା | ଏବେ ଘରୋଇ ସିଲିଣ୍ଡର ଦର ଏକାଥରରେ ୫୦ ଟଙ୍କା ବୃଦ୍ଧି ପାଇବା ଦ୍ୱାରା ଗ୍ରାହକଙ୍କୁ ଲାଗିଛି ବଡ଼ ଝଟକା ।