ଓଡ଼ିଶାରେ ପହଞ୍ଚିଲା ସହିଦ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର । ବାୟୁସେନାର ସ୍ୱତନ୍ତ୍ର ବିମାନରେ ମରଶରୀର ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିଛି । ବିମାନ ବନ୍ଦରରେ ଦିଆଯାଇଛି ଗାର୍ଡ ଅଫ ଅନର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦ ରାଣାପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଗାଁ ମାଟି ତାଳଚେର କୃଷ୍ଣଚନ୍ଦ୍ରପୁରରେ ହେବ ଅନ୍ତିମ ସଂସ୍କାର । ଶେଷକୃତ୍ୟ ପାଇଁ ଜନ୍ମମାଟିରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଗତକାଲି ରାଣାପ୍ରତାପଙ୍କ ପତ୍ନୀ ଶିବାଙ୍ଗୀ ଓ ଦେଢ଼ ବର୍ଷର ପୁଅ ଗୟାରୁ ଆସି ତାଳଚେରରେ ପହଞ୍ଚିଛନ୍ତି । ସିଡିଏସ ବିପିନ ରାୱତଙ୍କ ସହ ଶେଷ ମୁହୁର୍ତ୍ତରେ ସାଥିରେ ଥିଲେ ଓଡ଼ିଆ ଯବାନ। ବାୟୁସେନାରେ ଜୁନିଅର ଓ୍ଵାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ ରାଣାପ୍ରତାପ ଦାସ । ସିଡିଏସଙ୍କ ସହ ଚପ୍ପର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ରାଣାପ୍ରତାପ । ତେବେ ରାଣା ଘରର ସାନ ପୁଅ ହୋଇଥିବାରୁ ତାଙ୍କ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି। ସହିଦ ଯବାନ ରାଣାପ୍ରତାପଙ୍କ ବାପା ଶ୍ରୀବତ୍ସ ଦାସ ଜଣେ ଅବସରପ୍ରାପ୍ତ କଲେଜ ବରିଷ୍ଠ କିରାଣୀ । ବୟସର ଅପରାହ୍ନରେ ୩୫ବର୍ଷର ପୁଅକୁ ହରାଇବାରୁ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ଓଡ଼ିଶାର ପ୍ରତିରକ୍ଷା ବିଶେଷଜ୍ଞ କର୍ଣ୍ଣେଲ ସୁସାନ୍ତ କୁମାର ମିଶ୍ର ଗଭୀର ଦୁଃଖ ପ୍ରକାଶ କରିବା ସହ ଶହୀଦ ରାଣାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ, ଦୁର୍ଭାଗ୍ୟଜନକ ଓଡ଼ିଶା ଜଣେ ଯୁବ ସାହସୀ ଯୋଦ୍ଧାଙ୍କୁ ହରାଇଲା | ଖବର ଜଣାପଡ଼ିବା ପରେ ଗାଁରେ ଶୋକ ଛାୟା ଖେଳିଯାଇଛି।