ପାଟନା : ଟିକା ନେଇଥିବା ବିଧାୟକ ହିଁ ବିଧାନସଭାରେ ପ୍ରବେଶ କରିବେ । ଯେଉଁମାନେ କରୋନା ଭାକସିନର ଡବଲ୍ ଡୋଜ୍ ନେଇଛନ୍ତି ସେହି ବିଧାୟକଙ୍କୁ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ମିଳିବ । ବିହାର ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିହାରରେ ଆସନ୍ତା କିଛି ଦିନ ମଧ୍ୟରେ ମୌସୁମୀ ଅଧିବେଶନ ଆରମ୍ଭ ହେବ । ତେଣୁ ଯେଉଁ ବିଧାୟକମାନେ ଭାକସିନ୍ ନେଇ ନାହାଁନ୍ତି ସେମାନେ ଅସୁବିଧାର ସାମ୍ନା କରିପାରନ୍ତି । ଏହି ଅସୁବିଧାର ସବୁଠାରୁ ଅଧିକ ସାମ୍ନା କରିବେ ତେଜସ୍ୱୀ ଯାଦବ ଓ ତେଜ ପ୍ରତାପ ଯାଦବ । ଉଭୟ ଏବେସୁଦ୍ଧା ଭାକସିନ୍ ନେଇ ନାହାଁନ୍ତି । ତେଜସ୍ୱୀ ନିକଟରେ ଶେଷ ବ୍ୟକ୍ତି ଭାବେ ଟିକା ନେବେ ବୋଲି କହିଥିଲେ । ପ୍ରଥମେ ଟିକା ସାଧାରଣ ଜନତା ନିଅନ୍ତୁ ବୋଲି ସେ କହିଥିଲେ । ବାଚସ୍ପତି ବିଜୟ କୁମାର ସିହ୍ନା କହିଛନ୍ତି ଯେ, ସମସ୍ତ ବିଧାୟକ ମୌସୁମୀ ଅଧିବେଶନ ପୂର୍ବରୁ ଟିକା ନିଅନ୍ତୁ। ଏହାସହ ନିଜ ଅଞ୍ଚଳର ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରନ୍ତୁ । ଯେଉଁ ବିଧାୟକଙ୍କ ଅଞ୍ଚଳର ୮୦ ପ୍ରତିଶତ ଜନତା ଟିକା ଲଗାଇଥିବେ ସେମାନଙ୍କୁ ସମ୍ମାନିତ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟିକା ହେଉଛି ସର୍ବୋତ୍ତମ ସୁରକ୍ଷା କବଚ । ଜନ ପ୍ରତିନିଧି ହୋଇଥିବାରୁ ଦାୟିତ୍ୱ ବଢିଯାଏ । ଏହାଦ୍ୱାରା ସକରାତ୍ମକ ପ୍ରଭାବ ପଡିଥାଏ ବୋଲି ସେ କହିଛନ୍ତି ।