ଲୋକସଭାର ଶୀତକାଳୀନ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି । ଅଧିବେଶନର ପ୍ରଥମ ଦିନରେ କ’ଣ ସବୁ ବିଲ୍ ଆଗତ ହେବ ଏବଂ ପ୍ରତ୍ୟାହାର ହେବ ଚାଲନ୍ତୁ ଜାଣିବା ସେ ସମ୍ପର୍କରେ । ସବୁଠାରୁ ବଡ଼ କଥା ହେଲା ହଜାର ହଜାର କୃଷକ ବିରୋଧ କରିଥିବା ୩ କୃଷି ଆଇନକୁ ରଦ୍ଦ କରିବା ସହ ସରକାର ଲୋକସଭାରେ ଏକ ନୂତନ ବିଲ୍ ଆଗତ କରିବେ । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭା ଗୃହରେ ଏହି ବିଲ୍ ଆଗତ କରିବେ । ଏହି ବିଲ୍ ମଙ୍ଗଳବାର ଦିନ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ହେବ । ସେପ୍ଟେମ୍ବର ୧୯ତାରିଖ ଗୁରୁ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ୩ କୃଷି ବିଲ୍ ପ୍ରତ୍ୟାହାର ବିଷୟରେ ଘୋଷଣା କରିଥିଲେ । ଗତବର୍ଷ ସେପ୍ଟେମ୍ବର ମାସରେ ସଂସଦରେ ଏହି ବିଲ୍ ପାସ୍ ହୋଇଥିଲା । କୃଷକଙ୍କ ଉନ୍ନତି ପାଇଁ ବିଶେଷକରି କ୍ଷୁଦ୍ର ଚାଷୀଙ୍କ କଲ୍ୟାଣ ପାଇଁ ଏହି ନିୟମ ଅଣାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଆମ ସରକାର ଚାଷୀଙ୍କୁ ବୁଝାଇବାରେ ଅସମର୍ଥ ହେଲୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ନୂତନ ବିଲ୍ରେ ଦର୍ଶାଯାଇଛି, ଅଳ୍ପ ସଂଖ୍ୟକ କୃଷକ ଏହି ଆଇନକୁ ବିରୋଧ କରିଛନ୍ତି । ଏହି ନୂତନ ବିଲ୍କୁ ବିରୋଧ କରି ସଂସଦରେ ବିରୋଧୀମାନେ ହୋହାଲ୍ଲା କରିବାର ସମ୍ଭାବନା ରହିଥିବା କୁହାଯାଉଛି ।