ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଅନେକ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବାବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଶ୍ରୀସେତୁ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ଚାରିପାଖ ବୁଲି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦେଖିବା ସହ ସମୀକ୍ଷା କରିଛନ୍ତି। ସେହିପରି ଶ୍ରୀସେତୁ ଏବଂ ଶ୍ରୀଜଗନ୍ନାଥ ବଲ୍ଲଭ ଯାଇ ତୀର୍ଥଯାତ୍ରୀ କେନ୍ଦ୍ର ଓ ପାର୍କିଂ ବ୍ୟବସ୍ଥା କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି। ଆସନ୍ତା ଜାନୁୟାରୀ ୧୭ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ହେବ ବୋଲିି ଗଜପତି ମହାରାଜା ସୂଚନା ଦେଇଛନ୍ତି। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲାପାଳ ସମର୍ଥ ବର୍ମା, ଉପଜିଲାପାଳ ଭବତାରଣ ସାହୁ, ଟାଟା ଏବଂ ଓବିସିସିି ଅଧିକାରୀ ଉପସ୍ଥିତ ଥିଲେ।
ଗଜପତି ମହାରାଜା ପ୍ରଥମେ ଶ୍ରୀଜଗନ୍ନାଥ ବଲ୍ଲଭ ପରିସରକୁ ଯାଇ ସେଠାରେ ନିର୍ମାଣାଧୀନ ତୀର୍ଥଯାତ୍ରୀ କେନ୍ଦ୍ରର ନିର୍ମାଣ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।
ଜାନୁୟାରୀ ୧୭ରେ ‘ପରିକ୍ରମା’ …
୨୩୦ କୋଟି ୬୨ ଲକ୍ଷ ୫୦ ହଜାର ଟଙ୍କାରେ ଏହି ବିଶାଳ ୫ ମହଲା ବିଶିଷ୍ଟ ତୀର୍ଥଯାତ୍ରୀ କେନ୍ଦ୍ର ନିର୍ମାଣ ହେଉଛି। ଏହାପରେ ଗଜପତି ମହାରାଜା ଶ୍ରୀସେତୁ ପ୍ରକଳ୍ପ କାମ ବୁଲି ଦେଖିଥିଲେ। ପରେ ସେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଶେଷରେ ଗଜପତି ମହାରାଜା ସୂଚନା ଦେଇ କହିଥିଲେ ଯେ, ମହାପ୍ରଭୁଙ୍କ କୃପାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି। ଜାନୁୟାରୀ ୧୭ରେ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଓ ଲୋକାର୍ପଣ କରାଯିବ। ଏଥିଲାଗି ୧୨ତାରିଖରୁ ହୋମଯଜ୍ଞ, ପୂଜାର୍ଚ୍ଚନା ଆରମ୍ଭ ହୋଇ ୫ଦିନ ଚାଲିବ। ଏ ସଂକ୍ରାନ୍ତରେ ପ୍ରସ୍ତାବ ଦିଆଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା କରାଯାଇ ପୂର୍ଣ୍ଣାଙ୍ଗ ନିଷ୍ପତ୍ତି ନିଆଯିବ। ପରିକ୍ରମା ପ୍ରକଳ୍ପ ଶୀଘ୍ର ଶେଷ ହେଲେ ଭକ୍ତ ଉପକୃତ ହେବେ ଓ ପୁରୀରୁ ସୁଖଦ ଅନୁଭୁତି ନେଇ ଫେରିବେ। ପୁରୀକୁ ଆସୁଥିବା ଭକ୍ତ ସିଧାସଳଖ ଶ୍ରୀସେତୁ ଦେଇ ଆସି ଶ୍ରୀଜଗନ୍ନାଥବଲ୍ଲଭ ପରିସରରେ ନିର୍ମାଣ ହେଉଥିବା ତୀର୍ଥଯାତ୍ରୀ କେନ୍ଦ୍ରରେ ପହଞ୍ଚତ୍ବେ। ସେଠାରେ କାର୍, ଦୁଇଚକିଆ ଯାନ ପାର୍କିଂ ପାଇଁ ବ୍ୟବସ୍ଥା ହେଉଛି। ଏପରିକି ଭକ୍ତମାନେ ଗାଡ଼ି ରଖି କିଛି ସମୟ ବସିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ସେହିପରି ମହାପ୍ରଭୁଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଲାଗି ଅଡିଟୋରିୟମ୍ ନିର୍ମାଣ ଚାଲିଛି। ଉକ୍ତ ଅଡିଟୋରିୟମ କେବଳ ପୁରୀବାସୀଙ୍କ ପାଇଁ ନୁହେଁ, ରାଜ୍ୟବାସୀ ତଥା ବିଶ୍ୱବାସୀଙ୍କ ଧାର୍ମିକ, ସାଂସ୍କୃତିକ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ରହିବ। ଭକ୍ତଙ୍କ ସୁବିଧା ପାଇଁ ଫୁଡ୍ କୋର୍ଟ ଏବଂ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ରହିବ। ଭକ୍ତମାନେ ଶ୍ରୀମନ୍ଦିରଠାରୁ ଅତି କମ୍ ଦୂରରେ ସେମାନଙ୍କ ଗାଡ଼ି ରଖି ଶ୍ରୀମନ୍ଦିରକୁ ଯାଇପାରିବେ। ସେହିପରି ଶ୍ରୀମନ୍ଦିରକୁ ଯିବା ପାଇଁ ମିନିବସ୍ ସମେତ ବିଭିନ୍ନ ଗାଡ଼ି ବ୍ୟବସ୍ଥା କରାଯିବ। ଭକ୍ତଙ୍କ ନିମନ୍ତେ ଏପରି ଉତ୍ତମ ବ୍ୟବସ୍ଥା କରାଯାଉଛି। ଏସବୁ କାର୍ଯ୍ୟ ଡିସେମ୍ବରରେ ସମ୍ପୂର୍ଣ୍ଣ କରାଯିବ। ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପୁରୀକୁ ଆସୁଥିବା ଭକ୍ତ ଏକ ନୂତନ ଅନୁଭୂତି ନେଇ ଫେରିବେ। ଆଧ୍ୟାତ୍ମିକ ଭାବନା ଜାଗ୍ରତ ହେବ। ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଜାନୁୟାରୀ ୧୭ରେ ଲୋକାର୍ପଣ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲା ପ୍ରଶାସନର ସହଯୋଗରେ ଏହି ଭବ୍ୟ ଉତ୍ସବ ଆୟୋଜନ କରାଯିବ। ଏହି ପ୍ରକଳ୍ପ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଭକ୍ତଙ୍କୁ ଆକର୍ଷିତ କରିବ। ତେବେ ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟ ପୂର୍ବରୁ ଶ୍ରୀସେତୁ କାର୍ଯ୍ୟ ସରିବ। ପାର୍କିଂ କାର୍ଯ୍ୟ ସରିବାକୁ ବିଳମ୍ବ ହୋଇପାରେ। ତଥାପି ଫେବୃୟାରୀ ଆଡ଼କୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଦାସ କହିଥିଲେ।