ଆଉ କିଛି ଦିନ ପରେ ପୌର ନିର୍ବାଚନ | ରାଜ୍ୟରେ ବଢ଼ୁଛି ରାଜନୈତିକ ଉଷ୍ମତା । ବିଭିର୍ନ ଦଳର ପ୍ରାର୍ଥୀମାନେ ଆରମ୍ଭ କରିଦେଇଛନ୍ତି ଜୋରଦାର ପ୍ରଚାର ।ପାରାଦୀପ ପୌରପାଳିକାରେ ମଧ୍ୟ ସରଗରମ ହୋଇଛି ରାଜନୀତି | କିନ୍ତୁ ଚଳିତ ନିର୍ବାଚନରେ ପାରାଦୀପ ପୌରପାଳିକାରେ ଭିନ୍ନ ପ୍ରକାର ଚିତ୍ର ଦେଖିବାକୁ ମିଳିଛି | ଜାତୀୟ ଦଳ କଂଗ୍ରେସ ତାର ସତ୍ତା ହରାଇ ଥିବା ବେଳେ ବିଜେପି ଭିତରେ ଦେଖାଦେଇଛି ଗୋଷ୍ଠୀକନ୍ଦଳ | ପାରାଦୀପରେ ବିଜେଡିର ସ୍ଥାନ ସୁରକ୍ଷିତ ଥିବା ବେଳେ କଂଗ୍ରେସ ଦଳର ପୁରୁଣା ନେତା ଅରିନ୍ଦମ ସର୍ଖେଲ (ବାପି ଭାଇ ) ଏକ ନୂଆ ଦଳ “ଆମ ପାରାଦ୍ୱୀପ ଆମ ପ୍ରଗତୀ ” ଗଠନ କରି ଲଢ଼ୁଛନ୍ତି ନିର୍ଵାଚନ |
ଜାତୀୟ ଦଳ କଂଗ୍ରେସ ପାରାଦୀପ ପୌରପାଳିକା ନିର୍ବାଚନରେ ମାତ୍ର ଗୋଟିଏ ୱାର୍ଡରେ କାଉନସିଲର ପ୍ରାର୍ଥୀ ଦେବାକୁ ସକ୍ଷମ ହୋଇଛି। ସେ ହେଉଛନ୍ତି ୪ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ସ୍ୱର୍ଗତା ଶିଲା ରାଣୀ ଜେନାଙ୍କ ସ୍ୱାମୀ କେଦାର ନାଥ ଜେନା। ଅନ୍ୟପକ୍ଷରେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଅରିନ୍ଦମ ସର୍ଖେଲ (ବାପି ଭାଇ ) ଗତ ଏକ ବର୍ଷ ହେଲା କଂଗ୍ରେସ କାର୍ଯ୍ୟକ୍ରମ ଠାରୁ ଦୂରେଇ ରହିଥିଲେ। ଶେଷରେ ଚଳିତ ପୌର ନିର୍ବାଚନରେ କଂଗ୍ରେସ ଦଳକୁ କବର ଦେଇ ସ୍ୱାଧୀନ ନେତା ଭାବେ ସ୍ୱାଧୀନ ଅଧ୍ୟକ୍ଷ ପଦ ସମେତ ୧୮ ଟି ୱାର୍ଡରେ ସ୍ୱାଧୀନ କାଉନସିଲର ପ୍ରାର୍ଥୀ ଦେଇଛନ୍ତି। ଫିକା ହଳଦୀ ବର୍ଣ୍ଣର ପତାକା ଧରି ନିଜ ୟୁନିୟନର ଶ୍ରମିକ କର୍ମଚାରୀ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।
ଚଳିତ ନିର୍ବାଚନରେ ଆଶା କରାଯାଉଥିଲା ଯେ ଦୀର୍ଘ ୧୫ବର୍ଷ ଧରି ପାରାଦୀପ ପୌରପାଳିକା ଦଖଲ କରିଥିବା ବିଜେଡିକୁ ହଟାଇବାକୁ ସକ୍ଷମ ହେବ ବିଜେପି। କିନ୍ତୁ ଚଳିତ ନିର୍ବାଚନରେ ପାରାଦୀପ ବିଜେପିରେ ଗୋଷ୍ଠୀ କନ୍ଦଳ ହେତୁ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଛି ଦଳ | ଏବେ ପରସ୍ପର ମଧ୍ୟରେ ତୀବ୍ର ହୋଇଛି ବିବାଦ | ଗତବର୍ଷ ଡିସେମ୍ବର ୨୫ ତାରିଖରେ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳନ ପାଇଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଅତିଥି କରିବାରୁ ସୃଷ୍ଟି ହୋଇଥିଲା ଏହି ବିବାଦ। ଏହି ବିବାଦରେ ଟ୍ରଷ୍ଟର ସଭାପତି ଅଜିତ କୁମାର ଦାସଙ୍କୁ ଜଗତସିଂହପୁର ଜିଲ୍ଲା ଉପ ସଭାପତି ପଦରୁ ବହିଷ୍କାର କରାଯାଇଛି | ଏବଂ ତାଙ୍କୁ ସମର୍ଥନ କରି ଟ୍ରଷ୍ଟର ସମ୍ପାଦକ ତଥା ଜିଲ୍ଲା ବିଜେପି ସମ୍ପାଦକ ଅରୁଣ କୁମାର ସ୍ୱାଇଁ, ସହ ସମ୍ପାଦକ ସଂଜୀବ ମିଶ୍ର, ଅପରାଜିତାଙ୍କ ସ୍ୱେଚ୍ଛାସେବୀ ସଂଗଠନ ୟୁଥ ଫର ଆକ୍ସନର ପାରାଦୀପ ଶାଖା ସଭାପତି ତୋଫାନ କୁମାର ସେନାପତି ,ଶୈଳେନ୍ଦ୍ରୀ ସେନାପତି, ଅନିଲ ସେନାପତି, ପୂର୍ବତନ ପାରାଦୀପ ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ସାହୁଙ୍କ ଭଳି ଆଗ ଧାଡ଼ିର ବିଜେପି ନେତା ଦଳୀୟ ପ୍ରାର୍ଥୀଙ୍କୁ ହରାଇବା ପାଇଁ ବାପି ସର୍ଖେଲଙ୍କ ନୂଆ ଦଳ “ଆମ ପାରାଦ୍ୱୀପ ଆମ ପ୍ରଗତୀ ” ସହିତ ହାତ ମିଳାଇଛନ୍ତି। ଆଜି ପର୍ଯ୍ୟନ୍ତ ପାରାଦୀପ ପୌର ପାଳିକାରେ ଗୋଟିଏ କାଉନସିଲର ପାଇ ନ ଥିବା ବିଜେପି ଦୁଇ ଗୋଷ୍ଠୀରେ ନିର୍ବାଚନ ଲଢ଼ୁଛନ୍ତି | ଗୋଟିଏ ଧର୍ମେନ୍ଦ୍ର ଗୋଷ୍ଠୀ ଓ ଅନ୍ୟଟି ହେଲା ଅପରାଜିତା ଗୋଷ୍ଠୀ ।
କଂଗ୍ରେସ ଓ ବିଜେପିର ଏହି ଅବସ୍ଥାରେ ବିଜେଡି ଅଛି ସୁରକ୍ଷିତ | ବିଜେଡିର ପତିଆରା ଆଗ ଭଳି ରହିବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି |
ଗତ ନିର୍ବାଚନରେ ବିଜେଡି ୧୯ ଟି ୱାର୍ଡରୁ ୧୬ ଟିରେ ଜିତି ଥିଲା | ବିଜେପିର ୭ ନମ୍ବର ୱାର୍ଡର କାଉନସିଲର ଅନିଲ ବେହେରା ଓ ୧୪ ନମ୍ବର ୱାର୍ଡର କଂଗ୍ରେସ କାଉନସିଲର ମନୋଜ କୁମାର ବେହେରା ବିଜେଡିରେ ଯୋଗ ଦେଲା ପରେ ବିଜେଡିର କାଉନସିଲର ସଂଖ୍ୟା ୧୮କୁ ବୃଦ୍ଧି ପାଇଥିଲା। ଗୋଟିଏ କେବଳ ୪ ନମ୍ବର କଂଗ୍ରେସର ଥିଲା।
ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ଭୋଟ ହେବ। ତେଣୁ ବିଜେଡି ପକ୍ଷରୁ ପ୍ରାକ୍ତନ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ, ବିଜେପି ପକ୍ଷରୁ ଗୌତମ କୁମାର ନାୟକ ଏବଂ ବାପି ସର୍ଖେଲଙ୍କ ଆମ ପାରାଦୀପ ଆମ ପ୍ରଗତି ଦଳର ସ୍ୱାଧୀନ ପ୍ରାର୍ଥୀ ଭାବେ ଦେଵବ୍ରତ ସାହୁ ପ୍ରାର୍ଥୀ ହୋଇଛନ୍ତି। ଏକାଧିକ ୱାର୍ଡରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଅଛନ୍ତି | ଅନେକ ବିଜେଡି କାଉନସିଲର ବାରମ୍ବାର ପ୍ରାର୍ଥୀ ହୋଇଛନ୍ତି। ସେମାନେ ନିଜ ନିଜ ୱାର୍ଡରେ ବିଶେଷ କିଛି ଲୋକ ହିତକର କାର୍ଯ୍ୟ କରି ନାହାନ୍ତି କିମ୍ବା ସେ ୱାର୍ଡ ଛାଡି ଅନ୍ୟ ୱାର୍ଡରେ ଦଳୀୟ ପ୍ରାର୍ଥୀ ହୋଇଥିବାରୁ ସେମାନଙ୍କ ଉପରେ ଜନ ଅସନ୍ତୋଷ ଦେଖାଦେଇଛି | ଯାହାର ଫାଇଦା ବିରୋଧୀ ଦଳକୁ ଯିବାର ସମ୍ଭାବନା ଅଛି । ତଥାପି ଶକ୍ତିଶାଳୀ ବିରୋଧୀ ଦଳ ନ ଥିବାରୁ ଶାସକ ଦଳର ସ୍ଥିତି ଭଲ ଅଛି ବୋଲି ଆଲୋଚନା ହେଉଛି ।
ଆଜିଠୁ ନିର୍ବାଚନ ପ୍ରଚାର ଆରମ୍ଭ ହେଉଥିବାରୁ ସବୁ ଦଳର ପ୍ରାର୍ଥୀ ଜୋରସୋରରେ ତାଙ୍କ ୱାର୍ଡର ପ୍ରଚାର ଓ ଲୋକଭୁମୁଖୀ ହେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି |
ବିଜେପିର ସ୍ଥିତି ଉନ୍ନତ ଥିଲେ ମଧ୍ୟ ସେମାନଙ୍କ ଗୋଷ୍ଠୀ କନ୍ଦଳ ରାଜନୀତିକୁ ସଚେତନ ଭୋଟର ପସନ୍ଦ କରୁନାହାନ୍ତି। ତେଣୁ ଅନେକ ୱାର୍ଡରେ କଂଗ୍ରେସ ପରିବର୍ତ୍ତେ ବାପି ସର୍ଖେଲଙ୍କ ସ୍ୱାଧୀନ ପ୍ରାର୍ଥୀ ବିଜେଡିକୁ ମୁକାବିଲା କରିବାର ସମ୍ଭାବନା ଅଛି। ବାପି କଂଗ୍ରେସ ସମେତ ବିଦ୍ରୋହୀ ବିଜେପି ଓ ବିଜେଡ଼ି ପ୍ରାର୍ଥୀଙ୍କୁ ନେଇ ନୂଆ ଫର୍ମୁଲାରେ ନିର୍ବାଚନ ଲଢ଼ୁଛନ୍ତି। ଏହା କେତେଦୂର ସଫଳ ହେବ ତାହା ନିର୍ବାଚନ ଫଳାଫଳ ଘୋଷଣା ପରେ ଜଣାପଡିବ ବୋଲି ଆଲୋଚନା ହେଉଛି ।