ଏକ ବାଂଲାଦେଶୀ ମାଛ ଧରା ଟ୍ରଲର ସମୁଦ୍ରରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ଅଟକ ରଖିଛି ପାରାଦ୍ୱୀପ ମେରାଇନ ଥାନା ପୋଲିସ | ଟ୍ରଲରରେ ଥିବା ୨୦ ଜଣ ବାଂଲାଦେଶୀଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ପୋଲିସ | ସେମାନଙ୍କୁ ନେହେରୁ ବଙ୍ଗଳା ମାଛ ଧରା ବନ୍ଦର ମଧ୍ୟରେ ରଖାଯାଇଛି | ପାରାଦୀପ୍ ମେରାଇନ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି | ପୁରୀ ଜିଲ୍ଲା ଅସ୍ତରଙ୍ଗର ଏକ ମାଛ ଧରାଳି ଟ୍ରଲର ବହୁ ଦୂର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ବାଂଲାଦେଶୀ ମାଛ ଧରା ଟ୍ରଲରର ଲୋକେ ହାତ ଠାରି ସହାୟତା ନିମନ୍ତେ ସେମାନଙ୍କୁ ଡାକିଥିଲେ | ସେମାନଙ୍କ ଟ୍ରଲର ଇଞ୍ଜିନ ଖରାପ ଯୋଗୁଁ ଭାସି ଭାସି ଭାରତୀୟ ସୀମାକୁ ଆସିଯାଇଥିବା ବାଂଲାଦେଶୀ ମାଛଧରାଳୀମାନେ କହିଥିଲେ | ଏପରିକି ଗତ ମାସ ୭ତାରିଖରୁ ସେମାନେ ବାଂଲାଦେଶ ଛାଡି ସମୁଦ୍ରକୁ ଆସିଥିବାବେଳେ ଗତ ୧୪ ତାରିଖରେ ଟ୍ରଲର ଖରାପ ହୋଇଯିବାରୁ ସେମାନେ ସମୁଦ୍ରରେ ଏଣେତେଣେ ବୁଲୁଥିଲେ | ସେମାନେ ଆଣିଥିବା ଖାଦ୍ୟ ଶେଷ ହୋଇଯାଇଥିବାରୁ ଭୋକ ଉପାସରେ ବୁଲୁଥିବା କହିଥିଲେ | ଫଳରେ ଅସ୍ତରଙ୍ଗର ମାଛ ଧରାଳିମାନେ ସେମାନଙ୍କୁ ବାଟ ଦେଖାଇ ଆଣି ପାରାଦ୍ୱୀପ ମେରାଇନ ଥାନା ପୋଲିସର ଜିମା ଦେଇଛନ୍ତି | ପୋଲିସ ଘଟଣାର ତଦନ୍ତ କରୁଛି | ପ୍ରକୃତରେ ସେମାନଙ୍କ ଟ୍ରଲର ଖରାପ ଅଛି କି ନାହିଁ ତାହା ତଦନ୍ତ କରିବାକୁ ଏକ ଟେକନିକାଲ ଟିମ ସେଠାକୁ ଯାଇଛି | ସେମାନେ ଯାହା କହୁଛନ୍ତି ତାହା ଯଦି ସତ ହୋଇଥାଏ ତେବେ ସେମାନଙ୍କୁ ଛାଡିଦିଆଯିବ | କିନ୍ତୁ ସେମାନେ ଯଦି ବାଂଲାଦେଶୀ ଅନୁପ୍ରବେଶକାରୀ ହୋଇଥାନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେରାଇନ ଥାନା ପୋଲିସ ଅଧିକାରୀ କହିଛନ୍ତି |