ନିର୍ବାଚନ ଆଚରଣ ବିଧିକୁ ବେଖାତିର। ମାଲକାନଗିରି ଜିଲ୍ଲାରେ ଜଣେ ପ୍ରଧାନଶିକ୍ଷକ କରୁଛନ୍ତି ନିର୍ବାଚନୀ ପ୍ରଚାର | ଏକ ନିର୍ଦ୍ଧିଷ୍ଟ ଦଳର ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ଭୋଟ ଭିକ୍ଷା | ଏଭଳି ଅଭିଯୋଗ ଆସିଛି ମାଲକାନଗିରି ବ୍ଲକ୍ ଅଂଚଳରୁ | ନିର୍ବାଚନ ଆଇନ ଅନୁଯାୟୀ କୌଣସି ସରକାରୀ କର୍ମଚାରୀ ନିର୍ବାଚନୀ ପ୍ରଚାରରେ ଭାଗ ନେବେ ନାହିଁ କିମ୍ବା କୌଣସି ରାଜନୈତିକ ଦଳ ସହ ସଂପୃକ୍ତ ହୋଇପାରିବେ ନାହିଁ ବୋଲି ନିୟମ ରହିଛି | କିନ୍ତୁ ମାଲକାନଗିରି ବ୍ଲକ୍ ଅନ୍ତର୍ଗତ ଟିଟିବିରି ବିଦ୍ୟାଳୟର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ହାଲଦାର ଏକ ନିର୍ଦ୍ଧିଷ୍ଟ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ ଆସିଛି |
କୋରକୋଣ୍ଡା ବ୍ଲକ୍ର ଏମ୍ଭି – ୩୬ ଗ୍ରାମରେ ଆୟୋଜିତ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଥିଲେ ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ହାଲଦାର | ଜଣେ ପ୍ରଧାନଶିକ୍ଷକ କିଭଳି ପ୍ରଚାରରେ ସାମିଲ ହେଲେ ତାହା ତଦନ୍ତ ପରିସରଭୁକ୍ତ ହୋଇଛି । କେବଳ ମୃତ୍ୟୁଞ୍ଜୟ ହାଲଦାର ନୁହଁନ୍ତି ଅନେକ ଶିକ୍ଷକ ନିର୍ବାଚନୀ ପ୍ରଚାରରେ ଭାଗ ନେଇଥିବା ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି । ଆଜି କିଛି ରାଜନୈତିକ ଦଳ ପ୍ରଧାନଶିକ୍ଷକଙ୍କ ପ୍ରଚାର ସମୟର ଫଟୋକୁ ଦେଖାଇ ନିରପେକ୍ଷ ଓ ସ୍ବଚ୍ଛ ନିର୍ବାଚନକୁ ନେଇ ଜିଲ୍ଲା ପ୍ରଶାସନକୁ ପଚାରିଛନ୍ତି ପ୍ରଶ୍ନ । ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ବିଜେପି ଚେତାବନୀ ଦେଇଛି । ମୃତ୍ୟୁଞ୍ଜୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ବିଦ୍ୟାଳୟରେ କାର୍ଯ୍ୟ କରୁଥିବାରୁ ଡିଡବ୍ଲ୍ୟୁଓ କୃପାସିନ୍ଧୁ ବେହେରାଙ୍କୁ ପଚର ଯାଇଥିଲା | ଯେଉଁ ଶିକ୍ଷକ ଆଇନର ଉଲଂଘନ କରିଛନ୍ତି ତାଙ୍କ ବିରୋଧରେ ନିଶ୍ଚିତ ରୂପେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଡବ୍ଲ୍ୟୁଓ କୃପାସିନ୍ଧୁ ବେହେରା କହିଛନ୍ତି।