ଚଳିତ ପଞ୍ଚାୟତ ନିର୍ବାଚନରେ ବେଶ ରୋଚକ ଘଟଣା ଦେଖିବାକୁ ମିଳୁଛି | କେଉଁଠି ସ୍ୱାମୀ -ସ୍ତ୍ରୀ ନିର୍ବାଚନ ମୈଦାନରେ ଲଢେଇ କରୁଥିବା ବେଳେ କେଉଁଠି 75 ବର୍ଷୀୟ ବୃଦ୍ଧ ନିର୍ବାଚନ ଲଢ଼ିବା ପାଇଁ ଭିଡିଛନ୍ତି ଅଣ୍ଟା | ଆଜି ଆମେ ଆପଣଙ୍କୁ ଏଭଳି ଏକ ପଞ୍ଚାୟତକୁ ନେଇକି ଯିବୁ ଯେଉଁଠାରେ ନିର୍ବାଚନ ରଣାଙ୍ଗନରେ ପରସ୍ପର ବିରୋଧରେ ଲଢେଇ କରୁଛନ୍ତି ବାପା ଓ ଝିଅ | ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବାଲିବୋ ପଞ୍ଚାୟତରେ ବଡବାପା ଗୋକୁଳାନନ୍ଦ ବାରିକ ଓ ତାଙ୍କ ଝିଆରୀ ଶୁଭ ସ୍ନିଗ୍ଧା ବାରିକ ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି | ବାପା -ଝିଅ ଲଢ଼େଇକୁ ନେଇ ବେଶ ଚର୍ଚାରେ ରହିଛି ବାଲିବୋ ପଞ୍ଚାୟତ |
ଏହି ପଞ୍ଚାୟତରେ 5 ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନରେ କରୁଛନ୍ତି ପ୍ରତିଦ୍ବନ୍ଦିତା | ଗୋକୁଳାନନ୍ଦ ବାରିକ ଖୋଲା ବହି, ତାଙ୍କ ଝିଆରୀ ଶୁଭ ସ୍ନିଗ୍ଧା ବାରିକ ସୂର୍ଯ୍ୟ, ବନ୍ଦନା ପାତ୍ର ମାଛ, ସଞ୍ଜୟ ନାୟକ ଖୋଲାଛତା ଏବଂ ସୂର୍ଯ୍ୟକାନ୍ତ ବାରିକ ଲଙ୍ଗଳ ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି | ବଡବାପା ଗୋକୁଳାନନ୍ଦ ବାରିକ ଓ ତାଙ୍କ ଝିଆରୀ ଶୁଭ ସ୍ନିଗ୍ଧା ବାରିକ ଉଭୟ ବିଜେଡି ସମର୍ଥିତ ପ୍ରାର୍ଥୀ ବୋଲି ପ୍ରଚାର କରୁଛନ୍ତି | ହେଲେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ବାଲିବୋ ପଞ୍ଚାୟତକୁ ପ୍ରଚାର ପାଇଁ ଆସିଥିବା ବେଳେ ଶୁଭ ସ୍ନିଗ୍ଧାଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା | ତେବେ ଶୁଭ ସ୍ନିଗ୍ଧା ଓ ବଡବାପା ଗୋକୁଳାନନ୍ଦଙ୍କ ଭିତରେ ତୀବ୍ର ପ୍ରତିଦ୍ବନ୍ଦିତା ହେଉଥିବା ଦେଖିବାକୁ ମିଳିଛି | ଅନ୍ୟତମ ପ୍ରାର୍ଥୀ ସଞ୍ଜୟ ନାୟକ ଜଣେ ସାମ୍ବାଦିକ ତଥା ମାନବିଧିକାର ଓ ସୂଚନା ଅଧିକାର କର୍ମୀ ଭାବେ ପରିଚିତ |