ପଞ୍ଚାୟତ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଗାଁ ଗହଳିରେ ପ୍ରାର୍ଥୀଙ୍କ ପ୍ରଚାର ସେତିକି ଜମିବାରେ ଲାଗିଛି । ନେତା ଓ କର୍ମୀ ମାନେ ଏବେ ଗାଁ ଗହଳିରେ ଡେରା ପକାଇଥିବା ଦେଖିବାକୁ ମିଳିଛି | ଢେଙ୍କାନାଳ ଭୁବନ ବ୍ଲକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଂଚାୟତ ଭାବେ ପରିଚିତ ଜମୁନାକୋଟରେ ସରପଞ୍ଚ ଓ ସମିତିସଭ୍ୟ ପାର୍ଥିଙ୍କ ପ୍ରଚାର ସରଗରମ ହେବାରେ ଲାଗିଛି ।ଚଳିତଥର ଏହି ପଂଚାୟତରେ ସରପଞ୍ଚ ପଦବୀ ପାଇଁ ପୂର୍ବତନ ସରପଞ୍ଚ ନଟବର ସାହୁଙ୍କ ସମେତ ନିରୁପମା ବେହେରା ଓ ରଂଜନ ବାରିକ ନିର୍ବାଚନ ଲଢ଼ୁଛନ୍ତି । ତେବେ ୪ ଥର ସରପଞ୍ଚ ଓ ୨ ଥର ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇ ଜଣେ ଅତ୍ୟନ୍ତ ଅଭିଜ୍ଞ ତଥା ଅନୁଭବୀ ରାଜନେତା ଭାବେ ପରିଚିତ ନଟବର ସାହୁ ଚଳିତଥର ସରପଞ୍ଚ ପାର୍ଥି ହୋଇ ନିର୍ବାଚନ ଲଢ଼ୁଛନ୍ତି | ସେହିଭଳି ସମିତିସଭ୍ୟା ପାର୍ଥିନୀ ଭାବେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳଙ୍କ ପତ୍ନୀ ତଥା ପୂର୍ବତନ ସମିତିସଭ୍ୟା ସିପ୍ରା ବରାଳ ଓ ବୈଜୟନ୍ତି ରାଉତ ନିର୍ବାଚନ ଲଢ଼ୁଛନ୍ତି । ସମିତିସଭ୍ୟା ପାର୍ଥିନୀ ସିପ୍ରା ବରାଳ ଏହା ପୂର୍ବରୁ ଥରେ ସମିତିସଭ୍ୟା ଓ ଥରେ ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ଚଳିତ ଥର ବ୍ଲକ ଅଧ୍ୟକ୍ଷ ଆସନଟି ମହିଳାଙ୍କ ପାଇଁ ସରଂକ୍ଷଣ ଥିବାରୁ ସିପ୍ରା ବରାଳ ଶାସକଦଳ ସମର୍ଥିତ ତଥା ହେଭିୱଟ ପାର୍ଥିନୀ ବୋଲି କୁହାଯାଉଛି । ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ନିଜ ପତ୍ନୀଙ୍କୁ ଅଧ୍ୟକ୍ଷା ଆସନରେ ବସାଇବାକୁ ଘରକୁ ଘର ବୁଲି ପ୍ରଚାର କରି ଲୋକଙ୍କ ଆଶୀର୍ବାଦ ଲୋଡୁଥିବା ଦେଖିବାକୁ ମିଳୁଛି ।